Categories: ରାଜ୍ୟ

ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ବିମାନ ବନ୍ଦରରୁ କୋଲକାତା ଏବଂ ଜୟପୁରକୁ ବିମାନ ଉଡ଼ାଣ କରିବ

ଭୁବନେଶ୍ୱର,୪/୧୧: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ କୋଲକାତା ଏବଂ ବେଙ୍ଗାଲୁରୁକୁ ବିମାନସେବା ଚଳିତ ମାସରେ ଆରମ୍ଭ ହେବ ବୋଲି ଇଣ୍ଡିଗୋ ଏୟାର ଲାଇନ୍ସ ସୂତ୍ରରୁ କୁହାଯାଇଛି । ଆସନ୍ତାକାଲି ଠାରୁ ଝାରସୁଗୁଡ଼ାରୁ କୋଲକାତା ଇଣ୍ଡିଗୋ ବିମାନ ଏବଂ ୧୫ ତାରିଖରୁ ଝାରସୁଗୁଡ଼ାରୁ ବେଙ୍ଗାଲୁରୁକୁ ଏହି ବିମାନ ଚଳାଚଳ କରିବ । ଶିଳ୍ପାଞ୍ଚଳ ଝାରସୁଗୁଡ଼ାରୁ ଦୁଇ ପ୍ରମୁଖ ସହରକୁ ସିଧାସଳଖ ବିମାନସେବା ଦ୍ୱାରା ପଶ୍ଚିମ ଓଡ଼ିଶାରେ ଶିଳ୍ପର ବିକାଶ ଏବଂ ବ୍ୟବସାୟିକ ଦୃଷ୍ଟିକୋଣରୁ ଲୋକମାନେ ଲାଭବାନ୍‍ ହେବେ ।

ସେହିଭଳି ଆସନ୍ତା ସୋମବାର ଠାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ‘ଇଣ୍ଡିଆୱାନ୍‍’ ଏୟାର କମ୍ପାନୀର ବିମାନ କୋରାପୁଟ ଜିଲ୍ଲାର ଜୟପୁରକୁ ଉଡ଼ାଣ କରିବ। ସପ୍ତାହରେ ଦୁଇଥର ସୋମବାର ଏବଂ ଶୁକ୍ରବାର ଦିନ ଏହି ବିମାନସେବା ଉପଲବ୍ଧ ହେବ । ବିମାନବନ୍ଦର– ନୂଆ ଟର୍ମିନାଲ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ଆଧୁନିକୀକରଣ କାର୍ଯ୍ୟ ଚାଲିଛି । ବିମାନ ବନ୍ଦର ପରିସରରେ ଥିବା ନୂଆ ଟର୍ମିନାଲ ଲିଙ୍କ୍‍ ବିଲ୍ଡିଂ ନୂଆବର୍ଷ ପୂର୍ବରୁ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକୀୟ ସୁରକ୍ଷା ମଞ୍ଜୁରୀ ସକାଶେ ବିମାନ ବନ୍ଦର କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଛନ୍ତି । ଅନୁମତି ମିଳିବାପରେ ମାର୍ଗଦର୍ଶିକା ପ୍ରସ୍ତୁତ ହେବ ଏବଂ ସମସ୍ତ ଅଂଶୀଦାରମାନଙ୍କ ସହ ଆଲୋଚନା ପରେ ଟର୍ମିନାଲ କାର୍ଯ୍ୟ ଆରମ୍ଭ ହେବ ।

ବିମାନ ବନ୍ଦର ନୂଆ ଟର୍ମିନାଲ ଲିଙ୍କ୍‍ ବିଲ୍ଡିଂ କାର୍ଯ୍ୟ ଶେଷ ହୋଇଛି। ଖୁବ୍‍ଶୀଘ୍ର ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ ସୁରଟ୍‍, ଡେରାଡୁନ୍‍, ଚଣ୍ଡୀଗଡ଼ ଏବଂ ଜମ୍ମୁକୁ ବିମାନସେବା ଆରମ୍ଭ ହେବ । ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ବର୍ତ୍ତମାନ ଦେଶର ୨୧ଟି ପ୍ରମୁଖ ସହରକୁ ବିମାନ ଯାତାୟାତ କରୁଛି ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Share