ନୂଆଦିଲ୍ଲୀ,୧୬।୭: କରୋନା ପାଇଁ ଗତ କିଛିଦିନ ହେବ ବିଦେଶକୁ ବିମାନ ସେବା ବନ୍ଦ ରହିଛି। ଶୁକ୍ରବାରଠାରୁ ଆମେରିକାକୁ ବିମାନ ସେବା ପୁଣି ଥରେ ଶୁଭାରମ୍ଭ ହେବ। ବର୍ତ୍ତମାନ ସମୟରେ ବିମାନ ସେବା ଯୋଗାଣ ଲାଗି ଆମେରିକା ଏବଂ ଫ୍ରାନ୍ସ ସହ ସରକାର କଥାବାର୍ତ୍ତା କରିଥିବା ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଗୁରୁବାର ସୂଚନା ଦେଇଛନ୍ତି। ଜର୍ମାନୀ ଏବଂ ବ୍ରିଟେନ ସହ ସରକାର ଶୀଘ୍ର ଏଭଳି ଚୁୁକ୍ତି ସ୍ବାକ୍ଷର କରିବେ ବୋଲି ପୁରୀ ସ୍ପଷ୍ଟ କରିଛନ୍ତି। ଜୁଲାଇ ୧୮ରୁ ଅଗଷ୍ଟ ୧ ମଧ୍ୟରେ ଏୟାର ଫ୍ରାନ୍ସ ୨୮ ବିମାନ ପରିଚାଳନା କରିବ। ଏହି ବିମାନ ସେବା ନୂଆଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ଏବଂ ପ୍ୟାରିସ ମଧ୍ୟରେ ଉପଲବ୍ଧ ହେବ। ସେହିଭଳି ଆମେରିକା ଭିତ୍ତିକ ବିମାନ ସେବା ଯୋଗାଣକାରୀ କମ୍ପାନୀ ୟୁନାଇଟେଡ୍ ଏୟାର ଲାଇନ୍ସ ଚଳିତ ମାସ ୧୭ରୁ ମାସ ଶେଷ ଯାଏ ଭାରତ ଏବଂ ଆମେରିକା ମଧ୍ୟରେ ୧୮ଟି ବିମାନ ପରିଚାଳନା କରିବ।