ଚିଲିକା ମଝିରେ ଅଟକିଲା ଭସାପୋଲ

କୃଷ୍ଣପ୍ରସାଦ,୧୪ା୩(ଡି.ଏନ୍‌.ଏ.): ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଭସାପୋଲ (ଭେସେଲ)। ରବିବାର ଅପରାହ୍ନ ୫ଟାରେ ଏକ ପର୍ଯ୍ୟଟକ ବସ୍‌, ୧୫ଟି ଦୁଇଚକିଆ ଯାନ ଏବଂ ୩୦ଜଣ ଯାତ୍ରୀଙ୍କୁ ନେଇ ଭସାପୋଲଟି ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ସାତପଡ଼ାରୁ ଚିଲିକାରେ ଜହ୍ନିକୁଦା ଅଭିମୁଖେ ଆସୁଥିଲା। ତେବେ ଜଳସ୍ତର କମ୍‌ ଥିବାରୁ ଭସାପୋଲଟି ଚିଲିକା ମଝିରେ ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ଅଟକି ରହିଥିଲା। ଫଳରେ ପର୍ଯ୍ୟଟକମାନେ ଚିନ୍ତିତ ହୋଇପଡ଼ିଥିଲେ। ଏକ ଜେସିବି ଦ୍ୱାରା ଉକ୍ତ ଭସାପୋଲକୁ ଟାଣି ଅଣାଯିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ଆଗକୁ ଖରାଦିନ ଆସୁଛି। ତେଣୁ ଚିଲିକାର ଜଳସ୍ତର ଆହୁରି କମିବ। ତେଣୁ ତୁରନ୍ତ ଚାନେଲ ଖୋଳିବା ପାଇଁ ସାଧାରଣରେ ଦାବି ହେଉଛି। ସୂଚନାଯୋଗ୍ୟ, ପୂର୍ବରୁ ଅଧିକାଂଶ ସମୟରେ ବିଭିନ୍ନ କାରଣ ଯୋଗୁ ଭସାପୋଲ ମଝି ଚିଲିକାରେ ଅଟକିଥିବାର ମଧ୍ୟ ନଜିର ରହିଛି।