ସମ୍ବଲପୁର,୧୨ା୯(ବ୍ୟୁରୋ): ଲଘୁଚାପଜନିତ ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମ୍ରୁ ବନ୍ୟାଜଳ ନିଷ୍କାସନ ଯୋଗୁ ସମ୍ବଲପୁର ଜିଲା ପ୍ରଭାବିତ ହୋଇଥିଲା। ତଳିଆ ଅଞ୍ଚଳରେ ପାଣି ପଶିବା ସହ ଘରଦ୍ୱାର ଭାଙ୍ଗିଥିଲା। ଧାନ ଓ ଅନ୍ୟାନ୍ୟ ଫସଲ ମଧ୍ୟ ନଷ୍ଟ ହୋଇଥିଲା। କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାର ଅଗଷ୍ଟ ୩୦ ତାରିଖ ସୁଦ୍ଧା ପ୍ରାଥମିକ ରିପୋର୍ଟ ପ୍ରଦାନ କରିବାକୁ ସମସ୍ତ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଜିଲାରେ ରାଜସ୍ବ ବିଭାଗ ଓ କୃଷି ବିଭାଗ ମିଳିତ ଭାବେ ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ରିପୋର୍ଟ ସଂଗ୍ରହ କରିଥିଲେ। ପ୍ରାଥମିକ ରିପୋର୍ଟରେ ସମ୍ବଲପୁର ଜିଲା ମାନେଶ୍ୱର ତହସିଲର ଆଂଶିକ ଓ ସଦର ତହସିଲ ଅଧୀନ ଧନକଉଡ଼ା ବ୍ଲକର ଚିପିଲିମା ଓ ଗୋଶାଳା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଚାଷୀମାନଙ୍କ ଅଭିଯୋଗ କ୍ରମେ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ରିପୋର୍ଟରେ ପ୍ରାୟ ୩୬ ହେକ୍ଟର ଅର୍ଥାତ୍ ପ୍ରାୟ ୧୦୦ ଏକର ଜମି ପ୍ରଭାବିତ ହୋଇଥିବା କୁହାଯାଇଥିବା ବେଳେ ଚୂଡ଼ାନ୍ତ ରିପୋର୍ଟରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଦର୍ଶାଯାଇଛି। ସରକାରଙ୍କଠାରେ କୃଷି ଓ ରାଜସ୍ବ ବିଭାଗର ତଦନ୍ତକାରୀ ଟିମ୍ ସହିତ ବିଭାଗୀୟ ଅଧିକାରୀଙ୍କ ସ୍ବାକ୍ଷର ଥିବା ରିପୋର୍ଟ ଦାଖଲ କରାଯାଇଥିଲା। ହେଲେ କାହା ଚାପରେ ଓ କାହିଁକି ଚୂଡ଼ାନ୍ତ ରିପୋର୍ଟ ଦେବା ସମୟରେ ପରିବର୍ତ୍ତନ କରାଗଲା ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି। ଏହାକୁ ନେଇ କ୍ଷତିଗ୍ରସ୍ତ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଏ ସମ୍ପର୍କରେ ସଦର ତହସିଲଦାର ଲକ୍ଷ୍ମଣ ଅମାତ କହିଛନ୍ତି, ସମ୍ବଲପୁର ସହରରେ ବନ୍ୟାରେ ଚାଷଜମି କ୍ଷତି ହୋଇନାହିଁ। ହେଲେ ଲୋକମାନଙ୍କ ଘର ଭାଙ୍ଗିବା ସହ ରାସ୍ତାଘାଟ ନଷ୍ଟ ହୋଇଥିବା ନେଇ ରିପୋର୍ଟ ଦିଆଯାଇଛି। ସରକାରଙ୍କ ନିୟମ ଅନୁସାରେ ପ୍ରଭାବିତ ପରିବାରକୁ ଆର୍ଥତ୍କ ସାହାଯ୍ୟ ଦିଆଯିବ ବୋଲି ସେ କହିଛନ୍ତି। ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ଆବାହକ ଅଶୋକ ପ୍ରଧାନ କହିଛନ୍ତି ଯେ, ମହାନଦୀ ପାଣି ଆସିବା ପରେ ଧନକଉଡ଼ା ବ୍ଲକର ବସନ୍ତପୁର, ଚିପିଲିମା, ଗୋଶାଳା, କରଡୋଲା ଆଦି ଗ୍ରାମରେ ଧାନ ଫସଲ ନଷ୍ଟ ହୋଇଥିଲା। ଏହାସହ ମାନେଶ୍ୱର ତହସିଲ ଅଧୀନ ମହାନଦୀ ତଟରେ ଥିବା ଚାଷଜମି ମଧ୍ୟ ନଷ୍ଟ ହୋଇଥିଲା। କୃଷି ବିଭାଗ ଓ ରାଜସ୍ବ ବିଭାଗ ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ କରିଥିଲେ। ହେଲେ ଚୂଡ଼ାନ୍ତ ରିପୋର୍ଟରେ ଧାନ ଫସଲ ନଷ୍ଟ ହୋଇ ନ ଥିବା ଚାଷୀ ଜାଣିବାକୁ ପାଉଛନ୍ତି, ଯାହା ପରିତାପର ବିଷୟ। କେଉଁ ଆଧାରରେ ପ୍ରାଥମିକ ରିପୋର୍ଟ ପରିବର୍ତ୍ତନ କରାଯାଇଛି। ଅନ୍ୟପକ୍ଷେ ପ୍ରଭାବିତ ଚାଷୀମାନଙ୍କୁ କ୍ଷତିପୂରଣ ଦେବାର ସ୍ବତନ୍ତ୍ର ଅନୁଦାନ ମଧ୍ୟ ରହିଛି। ହେଲେ ଚାଷୀଙ୍କ ପ୍ରତି ସମବେଦନା ନ ଥିବା ଏଥିରୁ ସ୍ପଷ୍ଟ ହେଉଛି ବୋଲି ପ୍ରଧାନ କହିଥିଲେ।