ନୂଆଦିଲ୍ଲୀ,୪।୭: ମୌସୁମୀ ସକ୍ରିୟ ହେବା ପରେ ଏବେ ପ୍ରାୟ ସାରା ଦେଶରେ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଚଳିତ ମାସରେ କିଛି ରାଜ୍ୟରେ ଝିପିଝିପି ବର୍ଷା ହେବାର ସମ୍ଭାବନା ବି ରହିଛି। ଗୁଜରାଟ, ଆସାମ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର ସମେତ କିଛି ସ୍ଥାନରେ ପ୍ରବଳ ବର୍ଷା ହେଉଛି। ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।
ମୌସୁମୀ ଆରମ୍ଭରୁ ରାଜଧାନୀ ଦିଲ୍ଲୀରେ ଲଗାତାର ବର୍ଷା ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଚଳିତ ସପ୍ତାହରେ ଦିଲ୍ଲୀରେ ମଧ୍ୟ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ମଙ୍ଗଳବାର ସର୍ବାଧିକ ତାପମାତ୍ରା ୩୮ଡିଗ୍ରୀ ସେଲସିୟସ ରହିବା ସହ ସର୍ବନିମ୍ନ ତାପମାତ୍ରା ୨୮ ଡିଗ୍ରୀ ସେଲସିୟସ ରହିବ ବୋଲି ଅନୁମାନ କରାଯାଇଛି। ଚଳିତ ସପ୍ତାହରେ ଉତ୍ତରପ୍ରଦେଶର ଅଧିକାଂଶ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡି ରାଜଧାନୀର ଅନେକ ଅଞ୍ଚଳ ପାଇଁ ଅରେଞ୍ଜ ଆଲର୍ଟ ଏବଂ ୟେଲୋ ଆଲର୍ଟ ଜାରି କରିଛି। ଏସବୁ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ବିଭାଗ ଚେତାବନୀ ଦେଇଛି।