ପାକିସ୍ତାନରେ ବନ୍ୟା: ମୃତ୍ୟୁସଖ୍ୟା ୨୦୪କୁ ବୃଦ୍ଧି

ଇସଲାମାବାଦ,୧୪ା୭:  ପ୍ରବଳ ବର୍ଷା ହେତୁ ପାକିସ୍ତାନର ଅନେକ ଜିଲାରେ ବନ୍ୟା ପରିସ୍ଥିତି ଉପୁଜିଛି। ଫଳରେ ପାକିସ୍ତାନ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୧୬୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଫଗାନିସ୍ତାନରେ ୩୯ ଜଣଙ୍କ ମୃତ୍ୟୁ ଘଟିଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) କହିଛି, ଜୁନ୍‌ ୧୪ରୁ ପାକିସ୍ତାନରେ ମୌସୁମୀ ପୂର୍ବ ଋତୁରେ ଏପର୍ଯ୍ୟନ୍ତ ୧୬୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭୧ଜଣ ଆହତ ହୋଇଥିଲେ।

ଦେଶର ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ । ଯେଉଁଠାରେ ପ୍ରବଳ ବର୍ଷା ହେତୁ ୬୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୯ ଜଣ ଆହତ ହୋଇଥିବା ଏକ ରିପୋର୍ଟରୁ ପ୍ରକାଶ।

ବାଲୁଚିସ୍ତାନର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ବର୍ଷା ପୂର୍ବାନୁମାନ ମଧ୍ୟରେ ଏକ ମାସ ପାଇଁ ପ୍ରଦେଶରେ ଧାରା ୧୪୪ ଲାଗୁ କରାଯାଇଛି। ଏହି ଅନୁଯାୟୀ, ଜନସାଧାରଣଙ୍କୁ ନଦୀ, ଡ୍ୟାମ ଏବଂ ଅନ୍ୟାନ୍ୟ ଜଳରାଶିରେ ପିକ୍‌ନିକ୍‌ କରିବାକୁ ବାରଣ କରାଯିବ। ନଦୀ ଓ ଜଳ ସ୍ରୋତରେ ପହଁରିବା ଉପରେ ମଧ୍ୟ ନିଷେଧାଦେଶ ରହିବ।

Share