ଚଣ୍ଡିଖୋଲ, ୩୧।୮ (ଡି.ଏନ୍.ଏ.): ବିରୂପା, କେଲୁଅ ଓ ଗେଙ୍ଗୁଟି ନଦୀରେ ବନ୍ୟା ଯୋଗୁ ବଡ଼ଚଣା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଦୁଇ ଦିନ ଧରି ବହୁ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ରବିବାରଠାରୁ ବନ୍ୟାପାଣି ଛାଡ଼ୁଥିବା ଦେଖାଯାଇଛି। ମାତ୍ର ମହାନଦୀରେ ବନ୍ୟାଜଳ ଆସିବା ଫଳରେ ଶାଖାନଦୀ ବିରୂପା ଓ ଗେଙ୍ଗୁଟିରେ ପୁନର୍ବାର ବନ୍ୟା ଜଳ ବୃଦ୍ଧି ପାଇବା ଆଶଙ୍କା ରହିଛି। ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବିଧାୟକ ଅମର ପ୍ରସାଦ ଶତପଥୀ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ସହିତ ଆଲୋଚନା କରିଛନ୍ତି। ତୁରନ୍ତ ବନ୍ୟା ବିପନ୍ନମାନଙ୍କୁ ଡଙ୍ଗା ଓ ଗୋଖାଦ୍ୟ ଯୋଗାଇଦେବାକୁ ସେ ଦାବି କରିଛନ୍ତି। ଏହାସହିତ ଚଳିତ ବନ୍ୟାରେ ୨୬ ପଞ୍ଚାୟତର ୧୧୧ ଗାଁ କ୍ଷତିଗ୍ରସ୍ତ ହୋଇଛି। ୩୬ ହଜାର ହେକ୍ଟର ଚାଷଜମି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ପ୍ରଭାବିତଙ୍କୁ ଉଚ୍ଚ ସ୍ଥାନରେ ଥଇଥାନ କରାଯାଇଥିବା ବେଳେ ତୁରନ୍ତ ସେମାନଙ୍କୁ ପଲିଥିନ ଓ ରିଲିଫ ଯୋଗାଇଦେବାକୁ ବିଧାୟକ ଶତପଥୀ କମିଶନରଙ୍କୁ ଅନୁରୋଧ କରିଛନ୍ତି। ବନ୍ୟା ଯୋଗୁ ବହୁଲୋକ ଜାତୀୟ ରାଜପଥ ଓ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଥିବା ବେଳେ ସେମାନେ ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ବ୍ଲକ ଅଧୀନ ବାଲିପଡିଆ ପଞ୍ଚାୟତର ଦେକୁରୀ ଗ୍ରାମ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ବେଣୀପୁରଠାରେ ଘାଇ ଭାଙ୍ଗିବା ଦ୍ୱାରା ସେମାନଙ୍କର ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି। ଏପରିକି ଏକତାଲା ପଯର୍ୟନ୍ତ କୋଠାଘର ସବୁ ପାଣିରେ ବୁଡି ରହିଛି। ସମସ୍ତ କଚ୍ଚା ଘର ଭାଙ୍ଗି ଯାଇଛି। ପ୍ରଶାସନ ତରଫରୁ ସେମାନଙ୍କୁ କେବଳ ପଲିଥିନ ପ୍ରଦାନ କରାଯାଇଥିବା ବେଳେ ଅନ୍ୟ କୌଣସି ସହାୟତା ଦିଆଯାଇ ନ ଥିବା ବିପନ୍ନମାନେ ପ୍ରକାଶ କରିଛନ୍ତି।