Categories: ଜାତୀୟ

ଆସମରେ ଭୟଙ୍କର ବନ୍ୟା: ପାଣି ଘେରରେ ୫ଲକ୍ଷ ଲୋକ

ଦିସପୁର,୨୪।୬: ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଇଛି। ଅବିଶ୍ରାନ୍ତ ବର୍ଷ ଯୋଗୁ ଚାରିଆଡ ଜଳମଗ୍ନ ହୋଇ ରହିଛି। ବନ୍ୟା ଯୋଗୁ ୫ଲକ୍ଷ ଲୋକ ପାଣି ଘେରରେ ଅଛନ୍ତି। ତେବେ ଏପରି ସଙ୍ଗୀନ ପରିସ୍ଥତିରେ ଆସାମର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଲଗାଣ ବର୍ଷା ଯୋଗୁ ରାଜ୍ୟର ପ୍ରମୁଖ ନଦୀଗୁଡିକ ବିପଦସଙ୍କୁଳ ଅବସ୍ଥାରେ ପ୍ରବାହିତ ହେଉଛି।

ଏନେଇ କେନ୍ଦ୍ରୀୟ ଜଳ ଆୟୋଗ ସୂଚନା ଦେଇଛି ଯେ, ନେମାଟିଘାଟ(ଜୋରହାଟ)ରେ ବ୍ରହ୍ମପୁତ୍ର ନଦୀ ବିପଦ ସଙ୍କୁଳ ସ୍ଥତିରେ ଗତି କରୁଛି। ପୁଥିମାରି ଏବଂ ପାଗଲାଡିଆ ନଦୀର ଜଳ ସ୍ତର ଅଧିକ ରହିଛି। ଯାହା ଲାଗି କାମ୍ରୁପ ଏବଂ ନାଲବାରୀ ଜିଲାକୁ ରେର୍ଡ ଆଲର୍ଟ ଦିଆଯାଇଛି। ସରକାରୀ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ୧୬ ଟି ଜିଲାର ୪.୮୮ଲକ୍ଷରୁ ଅଧିକ ଲୋକ ପାଣି ଘେରରେ ଅଛନ୍ତି।

ବନ୍ୟା ଓ ଭୂସ୍ଖଳନ ପରିସ୍ଥତି ଯୋଗୁ ଏପର୍ଯ୍ୟନ୍ତ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ହେଉଛି ବାଜାଲି ଉପ-ବିଭାଗ, ଯେଉଁଠାରେ ବନ୍ୟା ଯୋଗୁଁ ୨.୬୭ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ନାଲବାରୀ ଏବଂ ବାରପେଟା ଜିଲାରେ ବନ୍ୟା ପରିସ୍ଥିତି ସଙ୍ଗୀନ ରହିଛି। ସେଠରେ ଯଥାକ୍ରମେ ପ୍ରାୟ ୮୦,୦୦୦ ଏବଂ ୭୩,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି।

୧୪୦ ରିଲିଫ କ୍ୟାମ୍ପରେ ୩୫,୦୦୦ରୁ ବିପନ୍ନ ଆଶ୍ରୟ ନେଇଛନ୍ତି। ରାଜ୍ୟରେ ୭୫ଟି ରିଲିଫ ବଣ୍ଟନ କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ପରିଚାଳନାରେ ଏନଡିଆର୍‌ଏଫ୍‌, ଏସ୍‌ଡିଆରଏଫ୍‌, ନାଗରିକ ପ୍ରତିରକ୍ଷା କର୍ମଚାରୀ ଏବଂ ସ୍ଥାନୀୟ ଲୋକ ସମେତ ବିଭିନ୍ନ ଏଜେନ୍ସି ପ୍ରଶାସନକୁ ସାହାଯ୍ୟ କରୁଛନ୍ତି।

Share