Advertisement

ଗଣିଆ-ବଡ଼ମୂଳ ରାସ୍ତାରେ ବନ୍ୟାଜଳ

ଗଣିଆ,୪ା୮(ସନ୍ତୋଷ କୁମାର ପ୍ରଧାନ): ଲଗାଣ ବର୍ଷା ପ୍ରଭାବରେ ନୟାଗଡ଼ ଜିଲା ଗଣିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗଣିଆ-ବଡ଼ମୂଳ ରାସ୍ତାର କେତେକ ସ୍ଥାନରେ ୨ରୁ ୫ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଗତ ମଙ୍ଗଳବାର ରାତିରୁ ଳଘୁଚାପଜନିତ ଲଗାଣ ବର୍ଷା ଲାଗିରହିବା ଫଳରେ ବୁଧବାର ଅପରାହ୍ନରୁ ମହାନଦୀ ପାଣି ବଢ଼ି ଚାଲିଥିଲା। ଗୁରୁବାର ଅପରାହ୍ନ ସୁଦ୍ଧା ବନ୍ୟାଜଳ ଧିରେ ଧିରେ ହ୍ରାସ ପାଇବାକୁ ଲାଗିଛି। ତଥାପି ଅପରାହ୍ନ ସୁଦ୍ଧା ଏହି ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ଗଣିଆ – ଛାମୁଣ୍ଡିଆ ରାସ୍ତାର ରାସଙ୍ଗ ରାସ୍ତା ଉପରେ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ରାସ୍ତାର କଳାପାଟ ଠାକୁରାଣୀ ପୀଠ ଓ ବୃତଙ୍ଗ ସେତୁ ମଧ୍ୟରେ ୩ରୁ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ଛାମୁଣ୍ଡିଆ-ବଡମୂଳ ରାସ୍ତା ଉପରେ ବି ବନ୍ୟା ଜଳ ଚାଲିଛି। ଫଳରେ ସୀମାନ୍ତ କୁତୁରୀ ଗ୍ରାମବାସୀ ୨ଦିନ ଧରି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଏହି ଗ୍ରାମରେ ବିଦ୍ୟୁତ୍‌ କିମ୍ବା ମୋବାଇଲ ସେବା ନ ଥିବା ବେଳେ ଗ୍ରାମବାସୀ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଛି। ସେହିପରି ରାସଙ୍ଗ, ଛାମୁଣ୍ଡିଆ ଓ କିଶୋରପ୍ରସାଦ ପଞ୍ଚାୟତର ଗହୀରି ବିଲରେ ଥିବା ସମସ୍ତ ଚାଷ ଜମି ବନ୍ୟାଜଳରେ ବୁଡ଼ି ରହିଛି। ରାସଙ୍ଗ ପଞ୍ଚାୟତର ରାସଙ୍ଗଠାରେ ପ୍ରଶାସନ ତରଫରୁ ବୋଟ୍‌ ବ୍ୟବସ୍ଥା କରାଯାଇଛି। ଗୁରୁବାର ସକାଳେ ମହାନଦୀର ବଡ଼ମୂଳ ମାଳିସାହି ଗେଜ୍‌ ପଏଣ୍ଟଠାରେ ଜଳସ୍ତର ୩୮ଫୁଟ୍‌ ଥିବା ବେଳେ ଅପରାହ୍ନ ୫ଟା ସୁଦ୍ଧା ଜଳସ୍ତର ହ୍ରାସ ହୋଇ ୩୬ଫୁଟ୍‌ ବନ୍ୟାଜଳ ପ୍ରବାହିତ ହେଉଛି। ଲଗାଣ ବର୍ଷା ଯୋଗୁ ରାସଙ୍ଗ ଗ୍ରାମର ରବିନ୍ଦ୍ର କୁମାର ସାହୁଙ୍କ ୧ବଖରା କଚ୍ଚାଘର ଭାଙ୍ଗିଯାଇଛି। ଅନ୍ୟ ବଖରାରେ ପରିବାର ଲୋକମାନେ ଜରିପାଲ ପକାଇ ରହିଛନ୍ତି। ସେହିପରି ଗଣିଆ ବ୍ଲକ କଲୋନୀର ପାଚେରୀ ଲଗାଣ ବର୍ଷାରେ ଭାଙ୍ଗିଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share