କମୁଛି ବନ୍ୟାଜଳ, ବଢ଼ୁଛି ଚାଷୀଙ୍କ ଦୁର୍ଦ୍ଦଶା

ଅସ୍ତରଙ୍ଗ,୮।୮(ମମତା ଜେନା): ମହାନଦୀ ଶାଖା ଦେବୀ ନଦୀରେ ବନ୍ୟାଜଳ ହ୍ରାସ ପାଇବାରେ ଲାଗିଛି। ଦେବୀ ନଦୀର ବାଉରିଆକଣ ବିପଦ ସଙ୍କେତ ୪.୯୩ ମିଟର ଥିବବେଳେ ଏବେ ବିପଦ ସଙ୍କେତ ତଳେ ଅର୍ଥାତ୍‌ ୩.୮୩ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ବନ୍ୟା ଛଡୁଥିବା ବେଳେ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିଛି। ଶତାଧିକ ଏକର ଚାଷଜମି ବନ୍ୟାରେ ପ୍ରଭାବିତ ହୋଇଛି। ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ଦେବୀ ନଦୀ ଉପକଣ୍ଠ ଖଣ୍ଡାସାହି, ଓସିଆ, ବିନାୟକପୁର, ବରାଙ୍ଗ, ପୁଇଁଚାନ୍ଦିଆ, ଅନନ୍ତା ଓ ଅସ୍ତରଙ୍ଗ ମୌଜାର ଶତାଧିକ ଏକର ଚାଷଜମିରେ ବନ୍ୟାଜଳ ପଶି ଖରିଫ ଧାନ ଫସଲ ସହ ପନିପରିବା ନଷ୍ଟ ହୋଇଯାଇଛି। ଏକର ଏକର ପରିବା ଚାଷଜମିରେ ଲହଡି ମାରୁଛି ବନ୍ୟା ପାଣି। କିଛି ଦିନ ଆଗରୁ ଖିଲିଖିଲି ହସୁଥିବା କଞ୍ଚାପରିବା ଏବେ ବନ୍ୟାଜଳରେ ବୁଡିଯାଇଛି। ଫଳରେ ଚାଷ ସବୁ ନଷ୍ଟ ହୋଇଯାଇଥିବାରୁ ଚାଷୀମାନେ ଚିନ୍ତାରେ ଅଛନ୍ତି। ଏ ସମ୍ପର୍କରେ କାକଟପୁର ଜଳସମ୍ପଦ ଉପଖଣ୍ଡ ସହକାରୀ ଯନ୍ତ୍ରୀ ତପନ କୁମାର ନାୟକ କୁହନ୍ତି, ସମ୍ବେଦନଶୀଳ ଦେବୀ ଦକ୍ଷିଣ ପାର୍ଶ୍ୱ ନଦୀବନ୍ଧ ସୁରକ୍ଷିତ ଅଛି ଓ ବିଭାଗ ଏଥିପ୍ରତି ସଚେତନ ରହିଛି। ନଷ୍ଟ ହୋଇଥିବା ଚାଷୀଙ୍କ ଜମିର ଆକଳନ କରାଯିବ।