ପାରାଦୀପ,୬।୫(ସ୍ବ.ପ୍ର.): ପାରାଦୀପ ବନ୍ଦରଭିତ୍ତିକ ଶିଳ୍ପାଞ୍ଚଳ ପାଇଁ ଜୀବନରେଖା ହେଉଛି ତାଳଦଣ୍ଡା କେନାଲ। କାରଣ ପାରାଦୀପର ୧୫ଟି ବୃହତ୍ ଶିଳ୍ପ ଏବଂ ଜଗତ୍ସିଂହପୁର ଜିଲାରର ଅଧିକାଂଶ ଗ୍ରାମାଞ୍ଚଳ ପାଇଁ ଏହି କେନାଲ ପାଣି ହେଉଛି ମାଧ୍ୟମ। ସମ୍ପ୍ରତି ଏହି କେନାଲରେ ଗତ ୧୦ ବର୍ଷ ହେଲା ଖରାଦିନେ ଜଳ ସଙ୍କଟ ଦେଖାଦେଉଛି। ମହାନଦୀରେ ଜଳାଭାବ ଓ ତାଳଦଣ୍ଡା କେନାଲର ନବୀକରଣ ଯୋଗୁ ଏପରି ହେଉଛି ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ଏହି ତାଳଦଣ୍ଡା କେନାଲକୁ ୧୮୬୬ରେ ଇଂରେଜମାନେ କରିଥିଲେ। କଟକ ଜୋବ୍ରାଠାରୁ ପାରାଦୀପର ଚଉମୁହାଣି ପର୍ଯ୍ୟନ୍ତ ଏହାର ସୀମା ଥିଲା। ୧୯୬୨ରେ ପାରାଦୀପ ବନ୍ଦର ହେବାପରେ ସେହି କେନାଲ ସମ୍ପ୍ରସାରିତ ହୋଇଥିଲା। ସିଙ୍ଗଟାଳି ଛକଠାରୁ ଅଠରବାଙ୍କି ପର୍ଯ୍ୟନ୍ତ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ କେନାଲ ଖୋଳାଯାଇଥିଲା। ଏହି କେନାଲରେ ଦୁଇଟି ଶାଖା କେନାଲ ରହିଛି। ଗୋଟିଏ ହେଲା ମାଛଗାଁ ଓ ଅନ୍ୟଟି ତାଳଦଣ୍ଡା। ପାରାଦୀପ ଟାଉନଶିପରେ ଏବେ ପାନୀୟ ଜଳ ସଙ୍କଟ ଉତ୍କଟ ସ୍ଥିତିରେ ପହଞ୍ଚତ୍ଛି। ପାରାଦୀପ ବନ୍ଦର ପ୍ରାଧିକରଣ କର୍ତ୍ତୃପକ୍ଷ ଏଥିପାଇଁ ଯୁଗ୍ମ ଅଯୁଗ୍ମ ବ୍ୟବସ୍ଥାରେ ଜଳ ଯୋଗାଣ କରୁଛନ୍ତି। ଅର୍ଥାତ ଦିନେ ଥରେ ପରଦିନ ଦୁଇଥର ଅଳ୍ପ ଲେଖା ପାଣି ଦେଉଛନ୍ତି। ବନ୍ଦରର ୧୭୫ ଏକର ବିଶିଷ୍ଟ ଜଳାଶୟ ମଧ୍ୟରେ ଏବେ ଯେତିକି ପାଣି ରହିଛି ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ସେଠାକାର ଜଣେ ଯନ୍ତ୍ରୀ କହିଛନ୍ତି। ତାଳଦଣ୍ଡା କେନାଲରେ ୨୦୧୩ରୁ ନବୀକରଣ କାମ ଏହି ଖରାଦିନେ କରାଯାଉଛି। ଏପର୍ଯ୍ୟନ୍ତ କଟକଠାରୁ ବିରିବାଟି ପର୍ଯ୍ୟନ୍ତ କାମ ହୋଇଛି ବୋଲି ନିର୍ବାହୀ ଯନ୍ତ୍ରୀ ଦେବାଶିଷ ମହାନ୍ତି କୁହନ୍ତି। ଯୁଗ୍ମ ଅଯୁଗ୍ମ ଜଳ ଯୋଗାଣ ଯୋଗୁ ଚଳିବା କଷ୍ଟକର ବୋଲି ଦୀପ୍ତିରେଖା ପାଢ଼ୀ ନାମକ ଗୃହିଣୀ କୁହନ୍ତି। ବିକଳ୍ପ ପନ୍ଥା ଭାବେ ଆମେ ନଳକୂପ ଖୋଳି ସେହି ପାଣି କପଡା ଧୋଇବା, ସ୍ନାନ ଶୌଚ ଆଦି କାମ କରୁଛୁ ବୋଲି ସେ କୁହନ୍ତି। ମହାନଦୀର ଜଳାଭାବ ଏବେଠାରୁ ପାରାଦୀପରେ ପରିଲକ୍ଷିତ ହେଲାଣି। ଆଗାମୀ ଦିନରେ ଏହା ଆହୁରି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି।