ମହାନଦୀରେ ବନ୍ୟାଜଳ : ଚାଷୀଙ୍କ ପାଇଁ କାଳ

ବାଙ୍କୀ,୭ା୮(ଜ୍ଞାନେନ୍ଦ୍ର ମୋହନ ମିଶ୍ର): ସାମାନ୍ୟ ବର୍ଷାରେ ବାଙ୍କୀ ବ୍ଲକର ଅବସ୍ଥା ବେହାଲ୍‌ ହୋଇଯାଉଛି। ଏହାର ଉପରମୁଣ୍ଡର ପାଣି ମୁଣ୍ଡଳୀ ବ୍ୟାରେଜ ଦ୍ୱାରା ନିୟନ୍ତ୍ରଣ ହେଉଥିବା ବେଳେ ଅତ୍ୟଧିକ ବର୍ଷା ହେଲେ ବନ୍ୟା ଜଳ ଛଡ଼ା ଯିବା ଯୋଗୁ ଚାଷ ଜମିରେ ବନ୍ୟାଜଳ ମାଡ଼ି ବ୍ୟାପକ ଫସଲ କ୍ଷତିଗ୍ରସ୍ତ ହେଉଛି। ଏହା ଚାଷୀଙ୍କ ପାଇଁ କାଳ ସାଜିଛି। ବାଙ୍କୀର ରଣ, କାଳିଗିରି ଓ ଚନ୍ଦ୍ରପା ସେତୁ ଦେଇ ଏଠାକାର ଚାଷ ଜମିକୁ ପଛୁଆ ପାଣି ପ୍ରବେଶ କରେ। ତଳିଆଞ୍ଚଳ ହୋଇଥିବାରୁ ବନ୍ୟାଜଳ ନିଷ୍କାସନ ହେବାକୁ ଦୀର୍ଘ ଦିନ ଲାଗିଥାଏ। ଫଳରେ ପନିପରିବା, ଧାନ ଫସଲ ପଚିସଢ଼ି ନଷ୍ଟ ହୋଇଯାଉଛି। ପ୍ରଧାନମନ୍ତ୍ରୀଙ୍କ ଫସଲବୀମା ଯୋଜନାରେ କେବଳ ଧାନ ଫସଲ ପାଇଁ ବୀମା କରାଯାଇଛି। ପନିପରିବା ଫସଲ ନଷ୍ଟ ପାଇଁ କୌଣସି ବୀମା ନଥିବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଚଳିତ ବର୍ଷ ବନ୍ୟାରେ ବାଙ୍କୀ ଉପଖଣ୍ଡର ପାଥପୁର, ବିଲିପଡ଼ା, ଶିମିଳିପୁର, ହରିରାଜପୁର, ଗୋଳାଗଣ୍ଡ, ଗୋପାଳପୁର, ବ୍ରହ୍ମପୁରା, ପଥୁରୀପଡା, ବୈଦ୍ୟେଶ୍ୱର, କେନ୍ଦୁପଲ୍ଲୀ ପଞ୍ଚାୟତ ସମେତ ଅନ୍ୟାନ୍ୟ ପଞ୍ଚାୟତରେ ଧାନ ଫସଲ ନଷ୍ଟ ହୋଇଯାଇଛି। ଏହା ବାଙ୍କୀ ଚାଷୀଙ୍କ ପାଇଁ କାଳ ସାଜିଛି। ବାଙ୍କୀ କୃଷକ ପରିଷଦ ପକ୍ଷରୁ ଏହାର ତଦନ୍ତ କରାଯାଇ ଚାଷୀମାନଙ୍କୁ ପାଇଁ ସ୍ବତନ୍ତ୍ର ପ୍ୟାକେଟ୍‌ ମଞ୍ଜୁର କରିବା ପାଇଁ ଦାବି କରାଯାଇଛି।

Share