ପାକିସ୍ତାନରେ ଲଗାଣ ବର୍ଷା ଯୋଗୁ ୩ ଶିଶୁଙ୍କ ସମେତ ୬ ମୃତ

ଇସଲାମାବାଦ,୬ ।୭: ଦକ୍ଷିଣ-ପଶ୍ଚିମ ପାକିସ୍ତାନ ସମେତ ଦେଶର ଅଧିକାଂଶ ଭାଗରେ ଲଗାଣ ବର୍ଷା ଫଳରେ ୩ ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘର ଛାତ ଭୁଷୁଡି ଯିବାରୁ ଏମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ମୃତକଙ୍କ ମଧ୍ୟରେ ମହିଳା ବି ରହିଛନ୍ତି । ଏହାସହ ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନରେ ହଠାତ୍ ଆସିଥିବା ବନ୍ୟାରେ ବି କେତେଜଣ ନିଖୋଜ ହୋଇଯାଇଥିବା କୁହାଯାଉଛି ।
ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନର ଦୁର୍ଗମ ଅଞ୍ଚଳରେ ରାତିରେ ଆସିଥିବା ବନ୍ୟାରେ ଅଧିକାଂଶ ଲୋକ ନିଖୋଜ ହୋଇଯାଇଥିବାରୁ ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି କୁହାଯାଉଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୋମବାରଠାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ମଙ୍ଗଳବାର ବି ଜାରି ରହିଥିଲା । ଏଥିରେ ବାଲୁଚିସ୍ତାନର ଅଧିକାଂଶ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବହୁଲୋକ ପାଣି ଘେର ମଧ୍ୟରେ ରହିଛନ୍ତି । ଜୁନ ମାସରୁ ହେଉଥିବା ବର୍ଷାରେ ପାକିସ୍ତାନରେ ଏପର୍ଯ୍ୟନ୍ତ ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି ।

Share