ସ୍ପେନ୍‌ରେ ବାତ୍ୟା ପରେ ପ୍ରଳୟଙ୍କରୀ ବନ୍ୟା: ୨୧୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ମାଡ୍ରିଡ୍‌,୨ା୧୧: ସ୍ପେନ୍‌ରେ ପ୍ରଳୟଙ୍କରୀ ବନ୍ୟାଜନିତ ମୃତ୍ୟୁସଂଖ୍ୟା ଶନିବାର ୨୧୧ରେ ପହଞ୍ଚିଛି। ସର୍ବାଧିକ କ୍ଷତିଗ୍ରସ୍ତ ପୂର୍ବ ଭାଲେନ୍‌ସିଆ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ଅତିରିକ୍ତ ୧୦,୦୦୦ ସୈନ୍ୟ ଏବଂ ପୋଲିସ୍‌ ଅଫିସର ନିୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସ୍ପେନ୍‌ ପ୍ରଧାନନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍‌ ଘୋଷଣା କରିଛନ୍ତି।

ସ୍ପେନ୍‌ରେ ବହୁ ଦଶନ୍ଧି ମଧ୍ୟରେ ଏହା ସବୁଠୁ ଘାତକ ବନ୍ୟା ବୋଲି କୁହାଯାଉଛି। ସାମୁଦ୍ରିକ ବାତ୍ୟା ଜନିତ ପ୍ରବଳ ବର୍ଷା ଯୋଗୁ କାଦୁଅ, ପାଣି ମାଡ଼ିଆସି କେତେକ ସହର ଜଳାର୍ଣ୍ଣବ ହୋଇଯାଇଥିଲା। ଏହି ବନ୍ୟାରେ ବହୁ ଭିତ୍ତିଭୂମି ଧ୍ୱଂସ ହେବା ସହ ବହୁସଂଖ୍ୟାରେ ଲୋକେ ଭାସିଯାଇ ନିଖୋଜ ଅଛନ୍ତି।

ସେମାନଙ୍କୁ ଖୋଜି ବାହାର କରିବା ପାଇଁ ୩ ଦିନ ହେଲା ଉଦ୍ୟମ ଜାରି ରହିଛି। ସର୍ବାଧିକ କ୍ଷତିଗ୍ରସ୍ତ ଭାଲେନ୍‌ସିଆ ଅଞ୍ଚଳରେ ଜରୁରୀ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅକ୍ଳାନ୍ତ ଉଦ୍ୟମ ଜାରି ରଖିଛନ୍ତି। ମାଟି ତଳେ ବହୁ ଲୋକ ପୋତିହୋଇ ରହିଯାଇଥିବା ଆଶଙ୍କା କରାଯାଉଥିବାରୁ ଭଗ୍ନାବଶେଷ ଓ କାଦୁଅ ଉଠାଇବା କାର୍ଯ୍ୟରେ ଅନେକେ ନିୟୋଜିତ ହୋଇଛନ୍ତି। ହଜାର ହଜାର ସ୍ବେଚ୍ଛାସେବୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି।

Share