ବନ୍ୟାରେ ଉବୁଟୁବୁ ଥାଇଲାଣ୍ଡ

ବ୍ୟାଙ୍କକ୍‌, ୨୯ା୯: ଝଡ଼ ଡାଇନାମୁ ଏବଂ ମୌସୁମୀଜନିତ ଲଗାଣ ବର୍ଷା ଯୋଗୁ ଥାଇଲାଣ୍ଡରେ ବନ୍ୟା ଆସିଛି। ଏଥିରେ ଦେଶର ୭୬ ପ୍ରଦେଶ ମଧ୍ୟରୁ କେନ୍ଦ୍ର, ଉତ୍ତର ଏବଂ ଉତ୍ତରପୂର୍ବରେ ଥିବା ପ୍ରାୟ ୩୦ ରାଜ୍ୟ ପ୍ରଭାବିତ ହୋଇଛି। ୭୦ ହଜାରରୁ ଊର୍ଦ୍ଧ୍ୱ ଘର ପାଣି ଘେରରେ ରହିଛି। ପାଣିରେ ଭାସିଯାଇ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ୨ ଜଣ ନିଖୋଜ ଥିବା ବିପର୍ଯ୍ୟୟ ନିରାକରଣ ଏବଂ କ୍ଷୟକ୍ଷତି ପୂରଣ ବିଭାଗ ପକ୍ଷରୁ କୁହାଯାଇଛି। ୭ଟି ରାଜ୍ୟରେ ସ୍ଥିତିରେ ସୁଧାର ଆସୁଥିବାବେଳେ ୨୩ଟିରେ ସ୍ଥିତି ଗମ୍ଭୀର ରହିଛି। ବିଶେଷକରି ଦେଶର କେନ୍ଦ୍ରାଞ୍ଚଳ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଆଗାମୀ ୩ ଦିନରେ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ବର୍ଷା ଲାଗିରହିପାରେ ବୋଲି ସେଠାକାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣି ଘେରରେ ଥିବା ଲୋକଙ୍କୁ ଆକାଶମାର୍ଗରୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଉଛି।
ବ୍ୟାଙ୍କକ୍‌କୁ ବନ୍ୟା କବଳରୁ ସୁରକ୍ଷିତ ରଖିବା ପାଇଁ ସେନା ନିୟୋଜିତ ହୋଇଛନ୍ତି। ସହର ମଧ୍ୟକୁ ପାଣି ନ ଆସିବା ପାଇଁ ବ୍ୟାରିୟର ନିର୍ମାଣ କରାଯିବା ସହ ବାଲି ବସ୍ତା ଗଦା କରାଯାଇଛି। ବ୍ୟାଙ୍କକ୍‌ଠାରୁ ଉତ୍ତରରେ ପ୍ରାୟ ୬୦ କି.ମି. ଦୂରରେ ଥିବା ଅୟୁଥାୟାରେ ପ୍ରତ୍ନତାତ୍ତ୍ୱିକ ଅବଶେଷ ଏବଂ ପଡ଼ୋଶୀ ଅଞ୍ଚଳର ସୁରକ୍ଷା ପାଇଁ ମଧ୍ୟ ଉଦ୍ୟମ ଜାରି ରହିଛି। ବ୍ୟାଙ୍କକ୍‌ ଦେଇ ପ୍ରବାହିତ ହେଉଥିବା ଚାଓ ଫରାୟା ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଉଦ୍ଧାରକାରୀ ଦଳ ଲୋକଙ୍କୁ ସେମାନଙ୍କ ଛାତ ଉପରୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି। ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ୍‌୍‌-ଓଚା ଏବଂ କ୍ୟାବିନେଟ୍‌ ସଦସ୍ୟମାନେ ସ୍ଥିତି ସମୀକ୍ଷା କରିବା ସହ ବନ୍ୟା ପ୍ରଭାବିତଙ୍କୁ ଭେଟିଛନ୍ତି।

Share