ବ୍ରାଜିଲରେ ବନ୍ୟା, ଭୂସ୍ଖଳନ: ଶତାଧିକ ମୃତ

ପେଟ୍ରୋପୋଲିସ,୧୮।୨:ବ୍ରାଜିଲର ପେଟ୍ରୋପୋଲିସ ସହରରେ ପ୍ରବଳ ବର୍ଷାଜନିତ ବନ୍ୟା ଓ ଭୂସ୍ଖଳନରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ରିଓ ଡି ଜେନିରୋ ଉତ୍ତରରେ ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ଏହି ସହରରେ ପ୍ରବଳ ବର୍ଷା ଲାଗିରହିବା ଫଳରେ ଶହ ଶହ ଘର ଭାଙ୍ଗିଯାଇଛି। ବନ୍ୟାପାଣି ସ୍ରୋତରେ କାର୍‌ଗୁଡ଼ିକ ଭାସିଯାଇଛି। ଭୂସ୍ଖଳନ ଯୋଗୁ କାଦୁଅ ତଳେ ଅନେକ ଲୋକ ନିଖୋଜ ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗୁରୁବାର ଅପରାହ୍ନ ସୁଦ୍ଧା ୨୪ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବାବେଳେ ୯୪ ଜଣଙ୍କ ମୃତ୍ୟୁ ଘଟିଥିବା ବ୍ରାଜିଲ ନ୍ୟାଶନାଲ ସିଭିଲ ଡିଫେନ୍ସ ପକ୍ଷରୁ କୁହାଯାଇଛି। ଆହୁରି ୩୫ ଜଣ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ସୋସିଆଲ ମିଡିଆରେ ଶେୟାର ହୋଇଥିବା ଭିଡିଓରୁ ଉକ୍ତ ଅଞ୍ଚଳରେ ଅନେକ ଘର କାଦୁଅରେ ପୋତି ହୋଇପଡ଼ିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି।
ଅଚାନକ ବନ୍ୟା ଓ ଭୂସ୍ଖଳନ ଯୋଗୁ ପ୍ରାୟ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଛି। କାରଗୁଡ଼ିକ ଖୁଣ୍ଟରେ ଝୁଲୁଥିବା ଦେଖାଯାଇଛି। ଅନେକ ଅଞ୍ଚଳରେ କାଦୁଅ ମାଡ଼ିଯାଇଛି ବୋଲି ରିଓ ଡି ଜେନିରୋ ଗଭର୍ନର କ୍ଲାଉଡିଓ କାଷ୍ଟ୍ରୋ କହିଛନ୍ତି। ପାର୍ବତ୍ୟାଞ୍ଚଳରେ ଅବସ୍ଥିତ ପେଟ୍ରୋପୋଲିସ ଏକ ପର୍ଯ୍ୟଟନ କ୍ଷେତ୍ର। ଊନ୍ନବିଂଶ ଶତାବ୍ଦୀରେ ଏହା ବ୍ରାଜିଲ୍‌ ରାଜପ୍ରାସାଦକୁ ଗ୍ରୀଷ୍ମକାଳୀନ ଦ୍ୱାରଦେଶ ଭାବେ ବ୍ୟବହାର କରାଯାଉଥିଲା। ତେବେ ମାତ୍ର ୩ ଘଣ୍ଟାର ବର୍ଷା ସେଠାରେ ବିପର୍ଯ୍ୟୟ ସୃଷ୍ଟି କରିଛି। ଭୂସ୍ଖଳନରେ ୮୦ ଘର ଧ୍ୱଂସ ହୋଇଯାଇଛି। ବର୍ଷାଜଳ ପ୍ରବଳ ବେଗରେ ମାଡ଼ିଆସିଥିଲା। କୋଭିଡ୍‌ ମହାମାରୀରେ ଜୀବନ ଦୁର୍ବିଷହ ହୋଇପଡ଼ିଥିବାବେଳେ ଏହି ବନ୍ୟା ବିପର୍ଯ୍ୟୟ ଦୁଃଖକୁ ଆହୁରି ବଢ଼ାଇ ଦେଇଛି ବୋଲି ଜଣେ ସ୍ଥାନୀୟ ଦୋକାନୀ କହିଛନ୍ତି। ଘରଦ୍ୱାର ହରାଇଥିବା ୩୦୦ରୁ ଊର୍ଦ୍ଧ୍ୱ ବିପନ୍ନଙ୍କୁ ବିଭିନ୍ନ ସ୍କୁଲ୍‌ ଓ ଆଶ୍ରୟ ସ୍ଥଳରେ ରଖାଯାଇଛି। ଦାତବ୍ୟ ଅନୁଷ୍ଠାନଗୁଡ଼ିକ ସେମାନଙ୍କୁ ଖାଦ୍ୟ, ବସ୍ତ୍ର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛନ୍ତି। ସହରର ମେୟର ଜରୁରୀ ସ୍ଥିତି ଘୋଷଣା କରିଥିବାବେଳେ ରୁଷିଆ ଗସ୍ତରେ ଥିବା ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସୋନାରୋ ବିପନ୍ନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Share