ଚିତ୍ରୋତ୍ପଳା, ପାଇକା, ଲୁଣାନଦୀରେ ବନ୍ୟା ପରିସ୍ଥିତି

ପାଟକୁରା,୧୭ା୮ (ଡି.ଏନ.ଏ.): ମହାନଦୀରେ ବନ୍ୟା ଯୋଗୁ ଜଳସ୍ତର ବୃଦ୍ଧି ପାଉଥିବାରୁ ଶାଖା ନଦୀ ଚିତ୍ରୋତ୍ପଳା, ପାଇକା, ଲୁଣା ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଫଳରେ ନଦୀ କୁଳିଆ ଅଧିବାସୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଚିତ୍ରୋତ୍ପଳା ନଦୀର ଦକ୍ଷିଣ ପାର୍ଶ୍ୱ ଗରଦପୁର ବ୍ଲକର ଭଦାଳ ବୁଢ଼ୀ ଠାକୁରାଣୀ ପାଖ ଗ୍ରାମ ପାର୍ଶ୍ୱ ନଦୀବନ୍ଧରୁ ବାରମ୍ବାର ଅତଡ଼ା ଖସୁଥିବାରୁ ଏହା ଭଦାଳ ସମେତ ଗରଦପୁର ବ୍ଲକ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରୁଛି। ଭଦାଳ ଗ୍ରାମର ଜନସାଧାରଣ ଅତଡ଼ା ଖସିବା ରୋକିବାକୁ ବହ୍ଲାପୋତି ବାଲି ବସ୍ତା ପକାଉଛନ୍ତି। ଭଦାଳ ଗାଁର ଲୋକ ସମ୍ଭାବ୍ୟ ଘାଇ ହେବା ଭୟରେ ଆସବାବପତ୍ର ସହ ଗୋରୁ, ଛେଳି ମେଣ୍ଢା ସାଙ୍ଗରେ ଆଣି ନଦୀ ବନ୍ଧରେ ଆଶ୍ରୟ ନେଇଛନ୍ତି। ନଦୀବନ୍ଧକୁ ଲାଗିଥିବା କେନାଲର କାମ ହେଉଥିବା ବେଳେ ସମ୍ପୃକ୍ତ ଠିକାଦାର ନଦୀ ବନ୍ଧର ଗ୍ରାମ ପାର୍ଶ୍ୱକୁ ବାଲିରେ ପୋତିବା ଯୋଗୁ ଏଭଳି ଅବସ୍ଥା ହୋଇଛି ବୋଲି ଅଭିଯୋଗ ହେଉଛି। ସେହିପରି କଳାବୁଦା କଣ୍ଟାଣିଆ ମଠ ପାଖରେ ମଧ୍ୟ ଘଳିଆ ପଡ଼ୁଛି। ମଙ୍ଗଳବାର ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ ନଦୀ ବନ୍ଧର ବିଭିନ୍ନ ଦୁର୍ବଳ ସ୍ଥାନଗୁଡ଼ିକୁ ଦେଖିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀ ନାୟକ ବ୍ଲକ ପ୍ରଶାସନ ସହିତ ଆଲୋଚନା କରି ଯେପରି ବନ୍ୟା ଯୋଗୁ କୌଣସି ଜୀବନ ହାନି ନ ଘଟେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ ବିଭିନ୍ନ ଦୁର୍ବଳ ସ୍ଥାନ ବୁଲି ଦେଖିଥିଲେ। ୨୦୦୬ରେ ଚିତ୍ରୋତ୍ପଳା ନଦୀ ବେଡ଼ାରୀ ପାଖରେ ୧୨ଶହ ଫୁଟ ଲମ୍ବର ଘାଇ ହୋଇଥିଲା। ସେହିପରି ୨୦୦୮ରେ ବେଡ଼ାରୀ ଗାଁର ପୂର୍ବପାର୍ଶ୍ୱ ମସ୍ତରାମ ମଠ ନିକଟରେ ଘାଇ ହୋଇଥିଲା। ୨୦୧୧ରେ ଚିତ୍ରୋପତ୍ଳା ନଦୀର ଦକ୍ଷିଣପାର୍ଶ୍ୱ ମଦନା ନିକଟରେ ଘାଇ ହୋଇଥିଲା। ଏସବୁ ଘାଇ ହେବା ଯୋଗୁ ଚିତ୍ରୋତ୍ପଳା ଓ ପାଇକା ଦ୍ୱୀପାଞ୍ଚଳରେ ଥିବା ଲୋକଙ୍କ ବ୍ୟାପକ ଧାନ ଚାଷ ହରାଇବା ସହ ଚାଳ ଘର ସବୁ ହରାଇ ଥିଲେ। ଏବେ ଲଗାଣବର୍ଷାରେ ଚାଷୀମାନଙ୍କ ଖରିଫ ଧାନ ଫସଲ ସବୁ ବୁଡ଼ି ଯାଇଥିବା ବେଳେ ସମ୍ଭାବ୍ୟ ବନ୍ୟା ସେମାନଙ୍କ ପାଇଁ ଆଉ ଏକ ବିପଦ ଟାଣି ଆଣିଛି।