ଚାଷଜମିରେ ଢେଉ ମାରୁଛି ବନ୍ୟାଜଳ

ବାହାନଗା,୧୨ା୮(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ୬ଦିନ ଧରି ହେଉଥିବା ଲଘୁଚାପଜନିତ ଲଗାଣ ବର୍ଷା ଫଳରେ କେତେକ ପଞ୍ଚାୟତରେ ଥିବା ହଜାର ହଜାର ଚାଷ ଜମିରେ ବନ୍ୟାଜଳ ଢେଉ ମାରୁଛି। ଯେଉଁଥିପାଇଁ ସମ୍ପୃକ୍ତ ପଞ୍ଚାୟତରେ କ୍ଷତିଗ୍ରସ୍ତ ଜମିର ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।
ଏହି ବ୍ଲକରେ ୧୮ହଜାର ୮୦ ହେକ୍ଟର ଚାଷ ଜମି ଅଛି। ତେବେ ସ୍ବଳ୍ପ ବର୍ଷା ହେବା ଫଳରେ ଶ୍ରାବଣ ପର୍ଯ୍ୟନ୍ତ ଚାଷୀମାନେ ଚାଷ କାର୍ଯ୍ୟକୁ ତ୍ୱରାନ୍ବିତ କରିପାରି ନ ଥିଲେ। ଫଳରେ ଏଇ କିଛି ଦିନ ହେବ ରାଜ୍ୟରେ ଲଘୁଚାପଜନିତ ବର୍ଷା ହେବା ଫଳରେ ଚାଷୀମାନେ ମନଖୁସିରେ ବିଲକୁ ବାହାରିପଡିଛନ୍ତି। ଉପରମୁଣ୍ଡରୁ ତଥା କାଂଶବାଶଂର ବନ୍ୟାଜଳ ଆସି ସମୁଦ୍ର ନ ଯାଇ ଏବେ ବିଲରେ ଢେଉ ମାରୁଛି। ପୂର୍ଣ୍ଣିମା ଥିବାରୁ ବନ୍ୟାଜଳ ସମୁଦ୍ର ଭିତରକୁ ନ ଯାଇ ଜୁଆର ଲୁଣି ପାଣି ସହିତ ଚାଷଜମି ମଧ୍ୟକୁ ପ୍ରବେଶ କରୁଛି। ବାହାନଗା ବ୍ଲକ ଖରାସାହାପୁର ଓ ଚିତ୍ତଳ, କୁରୁଡା ଓ କୁଚିଆକୋଇଲି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମିରେ ବନ୍ୟାପାଣି ଓ ସମୁଦ୍ର ଲୁଣି ପାଣି ପ୍ରବେଶ କରି ଜମିରହିଛି। ଧାନଗଛ ସବୁ ବୁଡିଯାଇଛି। ତେବେ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଖରାସାହାପୁର ପଞ୍ଚାୟତର ସମୁଦ୍ର କୂଳବର୍ତ୍ତୀ ଚାଷୀମାନେ। ଚଳିତବର୍ଷ ଶ୍ରାବଣ ସୁଦ୍ଧା ସ୍ବଳ୍ପ ବର୍ଷା ହୋଇଥିବାରୁ ସରକାରୀ ତଥ୍ୟ ଅନୁଯାଇ ବ୍ଲକ ଶତକଡା ୩୦ଭାଗ ଚାଷଜମିରେ ଏବେ ସୁଦ୍ଧା ଚାଷ ହୋଇଛି। ଅନ୍ୟ ପଞ୍ଚାୟତ ଅପେକ୍ଷା ୪ଟି ପଞ୍ଚାୟତର ଚାଷୀମାନେ ବିଶେଷ କ୍ଷତିଗ୍ରସ୍ତ ହେବେ। ବ୍ଲକର ୧୮ହଜାର ୮୦ହେକ୍ଟର ଚାଷ ଜମି ଥିବା ବେଳେ ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଶତକଡା ୩୦ଭାଗ ଜମିରେ ଚାଷ ହୋଇଛି। ଅର୍ଥାତ ୫ହଜାର ୪୩୪ ହେକ୍ଟର ପାଖାପାଖି ଜମିରେ ଚାଷ ହେଉଥିବା ଜଣାପଡିଛି। ଶ୍ରାବଣ ଭିତରେ ୯୦ଭାଗ ଚାଷୀ ଧାନରୁଆ କାମ ସାରିଦେଇଥାନ୍ତି। ଚଳିତବର୍ଷ ବର୍ଷା ନ ହେବାରୁ ଚାଷୀମାନେ ବିଲ ରୋଇବା ନିମନ୍ତେ ଏପର୍ଯ୍ୟନ୍ତ ଧାନ ତଳି ପକାଇବାରେ ସକ୍ଷମ ହୋଇନାହାନ୍ତି। ତେବେ ବରିପଦା ପଞ୍ଚାୟତ, ଆରୁହାବାଡ ପଞ୍ଚାୟତ, କୁରୁଣିଆ ପଞ୍ଚାୟତ ଗୋପାଳପୁର ପଞ୍ଚାୟତ ସାଉଡୁ ପଞ୍ଚାୟତଗୁଡିକରେ ଚାଷ କାମ ଶ୍ରାବଣ ମାସ ପର୍ଯ୍ୟନ୍ତ ଆରମ୍ଭ ହୋଇ ନ ଥିଲା। ଯେଉଁ ଚାଷୀମାନଙ୍କର ନିଜସ୍ବ ଭୂତଳ ଜଳ ବୋରିଂ କରିଛନ୍ତି ସେହି ଚାଷୀମାନେ ଆଗୁଆ ପାଣି ମଡେଇ ଚାଷ କାର୍ଯ୍ୟ ସାରିଛନ୍ତି। ନଚେତ୍‌ ୮୦ ଭାଗ ଚାଷୀ ଲଘୁଚାପ ଜନିତ ବର୍ଷା ହେବା ଫଳରେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି। ଉପରୋକ୍ତ ୪ ପଞ୍ଚାୟତର ଚାଷୀମାନେ ବିଲରେ ବୁଣାବୁଣି କାର୍ଯ୍ୟ ସାରିଥିଲେ ମଧ୍ୟ ଦୀର୍ଘଦିନ ଧରି ବନ୍ୟାପାଣି ଓ ଲୁଣିପାଣି ଜମିରହିବା ଫଳରେ ଧାନଗଛ ସବୁ ପଚିସଢିଗଲାଣି। ବ୍ଲକ ଅତିରିକ୍ତ କୃଷି ଅଧିକାରୀ ରଙ୍ଗନାଥ ପାତ୍ର କହିଛନ୍ତି, ଦୁଇଦିନ ହେବ ଆମେ ତଦନ୍ତ କରି ଏପର୍ଯ୍ୟନ୍ତ ବ୍ଲକର ୩୦ଭାଗ ଚାଷ ହୋଇଥିବା ଜାଣିଥିଲୁ। ବର୍ଷା ଛାଡିବା ପରେ କେତେ କ୍ଷତି ହୋଇଛି ଜାଣିବା ପରେ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦେବୁ।

Share