ବାସୁଦେବପୁର, ୨୦ା୯(ଡି.ଏନ.ଏ.)- ଗମେଈ ନଦୀରେ ବନ୍ୟା ଆସିବା ଫଳରେ ନଦୀ ସଂଲଗ୍ନ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିବା ସହ ଧାନଫସଲ ଉପରେ ୪ ଫୁଟରୁ ଊର୍ଦ୍ଧ୍ୱ ବନ୍ୟାଜଳ ପ୍ରବାହିତ ହେଉଛି। ଏହି ନଦୀ ସଂଲଗ୍ନ ଅଞ୍ଚଳ ଦେଇ ଯାଇଥିବା ବରଣ୍ଡୁଆ-ସୁଦର୍ଶନପୁର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତାରେ ୩ ଫୁଟରୁ ଊର୍ଦ୍ଧ୍ୱ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ଠପ୍ ହୋଇଛି। ପଣ୍ଡାଶୁଣି ପାଟ ଓ ପୋଲ ନିକଟରେ ରାସ୍ତାରେ ଘାଇ ମଧ୍ୟ ହୋଇଛି। ବନ୍ୟାପାଣି ବଢ଼ୁଥିବାରୁ ଏହି ରାସ୍ତାରେ ଯାତାୟାତ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଛି। ସୁଦର୍ଶନପୁର ଗ୍ରାମର ମଳିକସାହୀର କେତୋଟି ଘର ମଧ୍ୟ ଜଳବନ୍ଦୀ ହୋଇ ରହିଛି। ବାସୁଦେବପୁର ବିଡିଓ ପ୍ରଣବ କୁମାର ବେହେରା ବନ୍ୟା କ୍ଷତିଗ୍ରସ୍ତ ପଞ୍ଚାୟତ ମଧ୍ୟ ବୁଲି ଦେଖିଛନ୍ତି।