Categories: ଜାତୀୟ

ଫ୍ଲୋର ଟେଷ୍ଟକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ

ମୁମ୍ବାଇ,୨୮ ।୬: ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକନାଥ ସିନ୍ଧେ ଗ୍ରୁପଙ୍କୁ ମିଳିଥିବା ଆଶ୍ୱସ୍ତି ପରେ ଏବେ ଫ୍ଲୋର ଟେଷ୍ଟକୁ ନେଇ ମହାରାଷ୍ଟ୍ର ରାଜନୀତି ହୋଇଛି ସରଗରମ । ମିଳିଥିବା ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ଉଦ୍ଧବ ଠାକରେ ସରକାରଙ୍କ୍ ବିରୋଧରେ ଯେ କୌଣସି ମୁହୂର୍ତ୍ତରେ ଆସିପାରେ ଅବିଶ୍ୱାସ ପ୍ରସ୍ତାବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗୁଆହାଟିର ପଞ୍ଚତାରକା ହୋଟେଲରେ ବସିଥିବା ସିନ୍ଧେ ଗ୍ରୁପ ଏବେ ଆକ୍ସନକୁ ଆସିଯାଇଛନ୍ତି । ଏମିତି ଖବର ମିଳିଛି କି ଏହି ଗ୍ରୁପ ୩୦ ଜୁନ ପରେ ଯେ କୌଣସି ମୁହୂର୍ତ୍ତରେ ଫ୍ଲୋର ଟେଷ୍ଟ ପାଇଁ ଦାବି କରିପାରନ୍ତି ।
ସୁପ୍ରିମକୋର୍ଟରୁ ଯେତେବେଳେ ଆଶ୍ୱସ୍ତିକର ଖବର ଆସିଲା ସେତେବେଳେ ଠାଣେରେ ସିନ୍ଧେଙ୍କ ସମର୍ଥକ ଉତ୍ସବ ମନାଇଲେ । ଆହୁରି ମଧ୍ୟ ଖବର ରହିଛି କି ଗୁଆହାଟିର ହୋଟେଲ ରେଡିସନ ବ୍ଲୁର ବୁକିଂ ୩୦ ଜୁନରୁ ବଢାଇ ୫ ଜୁଲାଇ କରି ଦିଆଯାଇଛି । ଅର୍ଥାତ୍ ଅସନ୍ତୁଷ୍ଟ ବିଧାୟକମାନେ ୫ ଜୁଲାଇ ପର୍ଯ୍ୟନ୍ତ ହୋଟେଲରେ ରହିବେ । କେବଳ ସେତିକି ନୁହେଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ସମୟ ମିଳିବା ପରେ ସିନ୍ଧେ ଗ୍ରୁପ ଉଦ୍ଧବ ସରକାରଙ୍କୁ ଭାଙ୍ଗିବାକୁ ଅଚାନକ ଆକ୍ଟିଭ ହୋଇଯାଇଥିବା ଦେଖାଯାଇଛି । ସଙ୍ଗେ ସଙ୍ଗେ ହୋଟେଲରେ ବୈଠକ ହେବା ସଂହ ରାଜ୍ୟପାଳଙ୍କ ସହ ସମ୍ପର୍କ କରିବା କଥା ମଧ୍ୟ ଉଠିଥିବା କୁହାଯାଉଛି ।

Share