ସ୍ବାମୀଙ୍କୁ ବିକ୍ରି ପାଇଁ ମହିଳା ଦେଲେ ବିଜ୍ଞାପନ

ଫ୍ଲୋରିଡା,୩୦।୪: ଫ୍ଲୋରିଡାର ଜଣେ ମହିଳା ଘର ସାଙ୍ଗକୁ ତାଙ୍କ ସ୍ବାମୀଙ୍କୁ ବିକ୍ରି କରିବା ପାଇଁ ଏକ ବିଜ୍ଞାପନ ଦେଇଥିବା ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ସବୁଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ, ୪୩ ବର୍ଷୀୟା କ୍ରିଷ୍ଟାନ ବଲ ନିକଟରେ ତାଙ୍କ ସ୍ବାମୀ ରିଚାର୍ଡ ଚେଲସ୍‌ (୫୪)ଙ୍କଠାରୁ ଅଲଗା ହୋଇଛନ୍ତି। କ୍ରିଷ୍ଟାଲ ୨୦୧୯ରେ ରିୟଲିଷ୍ଟେଟ୍‌ ବ୍ୟବସାୟ ଆରମ୍ଭ କରିଥିଲେ। ଫ୍ଲୋରିଡାର ପାନାମା ସହରରେ କ୍ରିଷ୍ଟାଲ ୩ଟି ଘର କିଣିଥିବା ବେଳେ ସେଥିରୁ ଗୋଟିଏ ଘର ସେ ବିକ୍ରି କରିବାକୁ ବାହାରିଛନ୍ତି। ଖାଲି ଘର ନୁହେଁ ଘର ସାଙ୍ଗକୁ ସେ ତାଙ୍କ ପୂର୍ବତନ ସ୍ବାମୀ ରିଚାର୍ଡଙ୍କୁ ମଧ୍ୟ ବିକ୍ରି କରିବା ପାଇଁ ଏକ ବିଜ୍ଞପ୍ତି ଦେଇଛନ୍ତି। ୩ଟି ବେଡ୍‌ରୁମ୍‌, ୨ଟି ବାଥ୍‌ରୁମ୍‌, ଗୋଟିଏ ପୁଲ୍‌ ଏବଂ ବାଥ୍‌ ଟବ୍‌ର ସୁବିଧା ଉକ୍ତ ଘରେ ରହିଛି ବୋଲି ସେ ଉକ୍ତ ବିଜ୍ଞାପନରେ ଉଲ୍ଲେଖ କରିଛନ୍ତି। ୭ବର୍ଷ ଏକାଠି ରହିବା ପରେ ସେମାନଙ୍କ ବିବାହ ବିଚ୍ଛେଦ ଘଟିଛି। ଦୁହେଁ ଏକାଠି ତାଙ୍କ ପୁଅର ଲାଳନ ପାଳନ କରୁଥିବା କ୍ରିଷ୍ଟାଲ କହିଛନ୍ତି। ବିକ୍ରି ହେବାକୁ ଥିବା ଏହି ଘରର ବଜାର ମୂଲ୍ୟ ୬୯୯,୦୦୦ ଡଲାର ରହିଛି। ତେବେ ଯଦି କେହି ଘର ସହିତ ରିଚାର୍ଡଙ୍କୁ ଘରେ ରଖିବାକୁ ରାଜି ହୁଅନ୍ତି ତେବେ ଏହି ମୂଲ୍ୟରେ ରିହାତି ସୁବିଧା ଉପଲବ୍ଧ କରାଯିବ ବୋଲି କ୍ରିଷ୍ଟାଲ କହିଛନ୍ତି। ପ୍ରତ୍ୟେକ ଘର କାମ ଯେମିତି ରୋଷେଇ, ଘର ସଫା ଓ ଜିନିଷ ପତ୍ର ସଜାଡ଼ିବା ଆଦି କାମରେ ରିଚାର୍ଡ ସାହାଯ୍ୟ କରିବେ ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି କ୍ରିଷ୍ଟାଲ। ବିଜ୍ଞପ୍ତିରେ ଦିଆଯାଇଥିବା ଫଟୋ ସବୁରେ ରିଚାର୍ଡ ବିଭିନ୍ନ ପୋଜ୍‌ରେ ଛିଡ଼ା ହୋଇ ଫଟୋ ଉଠାଇଥିବାର ଦେଖିବାକୁ ମିଳିଛି।

Share