Categories: ଜାତୀୟ

ଲାଲ୍‌ କିଲ୍ଲାରେ ହେବ ଫୁଲବର୍ଷା…

ନୂଆଦିଲ୍ଲୀ,୨୬।୭: ଚଳିତ ବର୍ଷ ଅଗଷ୍ଟ ୧୫ଠାରୁ ଦେଶରେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି। ସ୍ବାଧୀନତା ଦିବସର ଏହି ଐତିହାସିକ ମୁହୂର୍ତ୍ତକୁ ସ୍ମରଣୀୟ କରିବା ଲାଗି ଲାଲ୍‌ କିଲ୍ଲାରେ ହେଲିକପ୍ଟରରୁ ଫୁଲବର୍ଷା କରାଯିବାର ବ୍ୟବସ୍ଥା ହୋଇଛି। ସ୍ବାଧୀନତା ଦିବସ ଅବସରରେ ଲାଲ୍‌ କିଲ୍ଲା ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍‌ବୋଧନ ଅଞ୍ଚଳରେ ଥିବା ଲାଲ୍‌ କିଲ୍ଲାର କାନ୍ଥକୁ ଫୁଲରେ ସଜ୍ଜିତ କରାଯିବ। ଫୁଲବର୍ଷା କାର୍ଯ୍ୟକୁ କିଭଳି କରାଯିବ ସେ ନେଇ ବାୟୁସେନା ସମେତ ଅନ୍ୟ ସୁରକ୍ଷା ଏଜେନ୍ସିର ଅଧିକାରୀମାନେ ଇତିମଧ୍ୟରେ ଲାଲ୍‌ କିଲ୍ଲା ପରିଭ୍ରମଣ କରିସାରିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ସମ୍ଭାବ୍ୟ ଡ୍ରୋନ୍‌ ଆକ୍ରମଣକୁ ପ୍ରତିରୋଧ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ଲାଲ୍‌ କିଲ୍ଲାରେ ଚଳିତବର୍ଷ ସ୍ବାଧୀନତା ଦିବସ ଉତ୍ସବରେ ଯୋଗାଦେବା ଲାଗି କମ୍‌ ସଂଖ୍ୟକ ଭିଆଇପିଙ୍କୁ ନିମନ୍ତ୍ରଣ କରାଯାଇଛି। ପ୍ରାୟ ୧୨୦ ଭିଆଇପି ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କୁହାଯାଉଛି। ମଞ୍ଚର ବାମ ଏବଂ ଡାହାଣ ପଟରେ ୬୦ ଲେଖାଏଁ ଭିଆଇପିଙ୍କ ବସିବାର ବ୍ୟବସ୍ଥା କରାଯିବ।

Share