ଭାଗ୍ୟ ବଦଳାଇବ ଫୁଲ

ଅପରାଜିତା, ଯିଏ କେବେ ବି ହାରେ ନାହିଁ ବା ଯାହାର କେବେ ବି ପରାଜୟ ନାହିଁ। ସେଥିପାଇଁ ଅପରାଜିତା ଫୁଲ ପ୍ରତି ଲୋକଙ୍କର ଥାଏ ଖୁବ୍‌ ଆଦର। କୁହାଯାଏ, ଅପରାଜିତା ଫୁଲର ଅନ୍ୟନାମ ହେଉଛି ନୀଳକଣ୍ଠ। ମହାପ୍ରଭୁ ଶିବଙ୍କର ମଧ୍ୟ ଆଉ ଏକ ନାମ ହେଲା ନୀଳକଣ୍ଠ। ସେହିପରି ମା’ଦୁର୍ଗାଙ୍କର ମଧ୍ୟ ଅନ୍ୟ ଏକ ନାମ ହେଉଛି ଅପରାଜିତା। ତେଣୁ ଉଭୟ ଶିବ ଓ ଶକ୍ତିଙ୍କର ଖୁବ୍‌ ପ୍ରିୟ ହୋଇଥାଏ ଏହି ଅପରାଜିତା ଫୁଲ। ତା’ଛଡ଼ା ଏହି ଫୁଲ ଅତ୍ୟନ୍ତ ଗୁଣକାରୀ ଓ ଚମତ୍କାରୀ ମଧ୍ୟ ହୋଇଥାଏ। ଏହା ଘର ପ୍ରତି ଥିବା ନଜର ଦୋଷ ତଥା ତନ୍ତ୍ରମନ୍ତ୍ର ଦୋଷକୁ ଦୂର କରିବା ସହ ଘରର ଦୁଃଖଦୁର୍ଦ୍ଦଶା ଦୂର କରିବାରେ ବିଶେଷ ଭୂମିକା ଗ୍ରହଣ କରିଥାଏ। ବିଶେଷ କରି ଏହି ଫୁଲର ମାଳାକୁ ଆଣି ମୁଖ୍ୟଦ୍ୱାରରେ ଟାଙ୍ଗି ଦେଲେ ଘରକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ ବୋଲି ବିଶ୍ୱାସ ରହିଛି। ସେହିପରି କୁହାଯାଏ, ଯଦି ପ୍ରତିଦିନ ମାତ୍ର ୧୧ଟି ଅପରାଜିତା ଫୁଲକୁ ମାତା ପାର୍ବତୀ କିମ୍ବା ମାତା ଦୁର୍ଗାଙ୍କୁ ଅର୍ପଣ କରାଯାଏ ତା’ହେଲେ ମା’ଙ୍କର କରୁଣା ଲାଭ ହେବା ସହ ଘରେ ଧନଧାନ୍ୟ ଭରିଯାଏ। ଅନ୍ୟପକ୍ଷେ ପ୍ରଭୁ ଶିବଙ୍କର ବି ଏହି ଫୁଲ ଖୁବ୍‌ ପ୍ରିୟ। ତାଙ୍କ କୃପା ଲଭିବାକୁ ହେଲେ ଶୁଦ୍ଧପୁତ ଭାବେ ନିୟମିତ ଏହି ଫୁଲ ତାଙ୍କୁ ଅର୍ପଣ କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।