ଭୁବନେଶ୍ୱର,୨୩।୨(ବ୍ୟୁରୋ): ରାଜ୍ୟ ପାଇଁ କରୋନା ମହାମାରୀ ପରବର୍ତ୍ତୀ ସମୟ ଅତ୍ୟନ୍ତ କଠିନ ହୋଇଛି। କେନ୍ଦ୍ରୀୟ ଟିକସ ହ୍ରାସ ସାଙ୍ଗକୁ ଜିଏସ୍ଟି କ୍ଷତିପୂରଣ, ପଞ୍ଚଦଶ ଅର୍ଥ କମିଶନ ସୁପାରିସ ଅନୁଦାନ ଧିମେଇ ଯାଇଛି। ରାଜକୋଷ ଉପରେ ପ୍ରବଳ ଚାପ ପଡିଛି। ଜନସାଧାରଣଙ୍କ ଜୀବନଜୀବିକା ବଞ୍ଚାଇବା, ସ୍ବାସ୍ଥ୍ୟ ରକ୍ଷା ସହ ରାଜ୍ୟର ଆର୍ଥିକ ବିକାଶ ରାଜ୍ୟ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି। ଏଥିରୁ ମୁକୁଳିବା ସହ ଆର୍ଥିକ ଅଭିବୃଦ୍ଧିକୁ କିପରି ପୁଣି ଗତିଶୀଳ କରାଯିବ ତାହାକୁ ଦେଖି ରାଜ୍ୟ ବଜେଟର ରୂପରେଖ ପ୍ରସ୍ତୁତ କରିବା ସହ ନୂଆ ଓଡ଼ିଶାର ସ୍ବପ୍ନ ଦେଖାଇଛନ୍ତି ସରକାର। ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛନ୍ତି। ସୋମବାର ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ଇ-ବଜେଟ ଉପସ୍ଥାପନ କରିଛନ୍ତି। ଇ-ବିଧାନସଭା ବ୍ୟବସ୍ଥା ହେବା ପରେ ପ୍ରଥମ ଥର ଲାଗି କାଗଜବିହୀନ(ପେପରଲେସ୍)ବଜେଟ ଉପସ୍ଥାପନ ହୋଇଛି। କୃଷି ପାଇଁ ମଧ୍ୟ ସ୍ବତନ୍ତ୍ର ବଜେଟ ଉପସ୍ଥାପନ କରାଯାଇଛି। ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ(ଜିଏସ୍ଡିପି) ୩.୫ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। ରାଜ୍ୟର ଟିକସ ଜିଏସ୍ଡିପିର ୬.୪ ପ୍ରତିଶତ ରହିବା ବେଳେ ଋଣଭାର ୨୦.୯ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। ସେହିପରି ୨୦୨୧-୨୨ରେ ରାଜସ୍ବ ବଳକା ୨,୩୩୬ କୋଟି ଟଙ୍କା ରହିବା ବେଳେ ବିତ୍ତୀୟ ନିୟଣ୍ଟ ଜିଏସ୍ଡିପିର ୩.୫ ପ୍ରତିଶତ ରହିବା ନେଇ ବଜେଟରେ ଅନୁମାନ ଲଗାଯାଇଛି। ୨୦୧୯-୨୦ରେ ରାଜ୍ୟର ଅଭିବୃଦ୍ଧି ୪.୯୨ ପ୍ରତିଶତ ଥିବା ବେଳେ ୨୦୨୦-୨୧ରେ ୫.୨୧ ପ୍ରତିଶତ ହୋଇଛି।
କରୋନା ମହାମାରୀ ଯୋଗୁ ରାଜ୍ୟର ରାଜସ୍ବ ଆଦାୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଏହା ସତ୍ତ୍ୱେ ରାଜ୍ୟ ସରକାର ଆସନ୍ତା ବଜେଟର ଆକାରକୁ ଗତ ବଜେଟ ତୁଳନାରେ ପ୍ରାୟ ୧୩.୩୩ ପ୍ରତିଶତ ବୃଦ୍ଧି କରିଛନ୍ତି। ବଜେଟରେ ପାନୀୟ ଜଳ ଯୋଗାଣ, କୃଷି କ୍ଷେତ୍ର, ଜଳସେଚନ, ଶିଳ୍ପ, ଭିତ୍ତିଭୂମି, ପର୍ଯ୍ୟଟନ, ଦକ୍ଷତା ବିକାଶ ଓ କ୍ରୀଡ଼ା କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇଛି। ଚଳିତ ବର୍ଷ ବଜେଟରେ କୌଣସି ନୂତନ ଯୋଜନାକୁ ସାମିଲ କରାଯାଇ ନାହିଁ। ଏଥିରେ ୮୫ ହଜାର କୋଟି ପ୍ରଶାସନିକ ଖର୍ଚ୍ଚ ନିମନ୍ତେ ବ୍ୟୟବରାଦ କରାଯାଇଥିବା ବେଳେ କାର୍ଯ୍ୟକ୍ରମ ବାବଦକୁ ୭୫ ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ପାଇଁ ୩ ହଜାର ୫୦ କୋଟି ଏବଂ ସ୍ଥାନୀୟ ନିକାୟ ସଂସ୍ଥା ପାଇଁ ୬ ହଜାର ୯୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆସନ୍ତା ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବ୍ୟୟ ଅଟକଳ ୨୫ ହଜାର କୋଟି କରାଯାଇଛି, ଯାହା କି ଜିଏସ୍ଡିପିର ୪.୪ ପ୍ରତିଶତ। ଏହା ଛଡା ରାଜ୍ୟ ସରକାର ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ(ଓଏମ୍ବିଏଡିସି), ଜିଲା ଖଣିଜ ଫାଉଣ୍ଡେଶନ(ଡିଏମ୍ଏଫ୍) ରାଜ୍ୟ ଉଦ୍ୟୋଗଗୁଡିକରୁ ୮ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ଗତ ବଜେଟ ତୁଳନାରେ ଏହି ବଜେଟରେ ରାଜ୍ୟ ସରକାର ୧୯ ହଜାର ୩୪୫ କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ ଏବଂ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ୧ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।
ବଜେଟ ଖର୍ଚ୍ଚ ତୁଲାଇବାକୁ ରାଜ୍ୟ ସରକାର ରାଜସ୍ବ କ୍ଷେତ୍ରରୁ ୧,୨୫,୬୦୦ କୋଟି ଟଙ୍କା ଏବଂ ଋଣ ଓ ଅନ୍ୟାନ୍ୟ କ୍ଷେତ୍ରରୁ ୪୪ ହଜାର ୪୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ନିଜସ୍ବ ଟିକସରୁ ରାଜ୍ୟ ସରକାର ୩୭,୫୦୦ କୋଟି, ଅଣଟିକସରୁ ୨୦ ହଜାର କୋଟି, କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶଧନ ୩୦,୧୩୭ କୋଟି ଏବଂ ଜିଏସ୍ଟି କ୍ଷତିପୂରଣ ବାବଦରେ ୩୭,୯୬୩ କୋଟି ଟଙ୍କା ପାଇବା ନେଇ ବଜେଟରେ ଆକଳନ କରାଯାଇଛି। ରାଜ୍ୟର ଋଣଭାର ୧ ଲକ୍ଷ ୨୫୯୩ କୋଟି ଥିବା ବେଳେ ୨୦୨୧ ମାର୍ଚ୍ଚ ସୁଦ୍ଧା ୧ ଲକ୍ଷ ୬ ହଜାର ୫୪୦ କୋଟିରେ ପହଞ୍ଚିବ। ସେହିପରି ରାଜ୍ୟର ଋଣ ଭାର ୨୦୨୨ ମାର୍ଚ୍ଚ ସୁଦ୍ଧା ୧ ଲକ୍ଷ ୨୫ ହଜାର କୋଟିକୁ ଛୁଇଁବ ବୋଲି ଆକଳନ କରାଯାଇଛି। କୋଭିଡ୍ ଯୋଗୁ ରାଜ୍ୟର ଅର୍ଥନୀତିରେ ମାନ୍ଦାବସ୍ଥା ଆସିଥିଲା। ଏବେ ତାହା ଧୀରେ ଧୀରେ ପୂର୍ବସ୍ଥିତିକୁ ଫେରୁଛି। ରାଜ୍ୟର ଅଭିବୃଦ୍ଧି ହେବା ସହ ନୂତନ ଓଡ଼ିଶା ପୁଣିଥରେ ଫେରିବ ବୋଲି ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ ବେଳେସୂଚନା ଦେଇଛନ୍ତି।
ବଜେଟରେ କୃଷିକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ରାଜ୍ୟ ସରକାର କୃଷି ବଜେଟରେ ୧୭,୪୬୯ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। କୃଷି ବଜେଟ ଉପସ୍ଥାପନ କରି ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା କୃଷିଭିତ୍ତିକ ଅର୍ଥନୀତି। ରାଜ୍ୟର ପ୍ରାୟ ୫୦ ପ୍ରତିଶତ ନିଯୁକ୍ତି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ହୋଇଥାଏ। ରାଜ୍ୟର ଅଭିବୃଦ୍ଧିରେ ଏହା ୨୧ ପ୍ରତିଶତ ଯୋଗଦାନ ରହିଛି। ରାଜ୍ୟ ସରକାର ଜୈବିକ କୃଷି (ଅର୍ଗାନିକ ଫାର୍ମିଂ)କୁ ପ୍ରାଥମିକତା ଦେଉଛନ୍ତି। ରାଜ୍ୟରେ ୨୦,୮୦୦ ହେକ୍ଟର ଜମିରେ ଜୈବିକ ଚାଷ କରାଯାଉଛି। ପରମ୍ପରାଗତ କୃଷି ଯୋଜନା ପାଇଁ ସରକାର ୩୫ କୋଟି ବ୍ୟୟବରାଦ କରିଛନ୍ତି।
ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ସରକାର ବଜେଟରେ ୧୨ ହଜାର କୋଟି ଟଙ୍କା ବ୍ୟବସ୍ଥା କରିଥିବା ବେଳେ କୃଷକମାନଙ୍କୁ ସହାୟତା ଦେବା ଲାଗି କାଳିଆ ଯୋଜନାରେ ୧,୮୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ସେହିପରି କୋଭିଡ୍-୧୯ ପରବର୍ତ୍ତୀ ସମୟରେ ଲୋକମାନଙ୍କ ଜୀବନଜୀବିକା ବଞ୍ଚାଇବାକୁ ବଜେଟରେ ଭରପୂର ପ୍ରୟାସ କରାଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ପାଇଁ ୧,୪୧୫ କୋଟି ଏବଂ ଗ୍ରାମାଞ୍ଚଳରେ ପକ୍କାଘର ଯୋଗାଇ ଦେବାକୁ ୨୦୦୧ କୋଟି ବରାଦ କରାଯାଇଛି। ଶ୍ରମିକମାନଙ୍କୁ କାମ ଯୋଗାଇ ଦେବାକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୨୦୦୧ କୋଟି, ଅବଢା ଯୋଜନା ପାଇଁ ୫୪୨ କୋଟି, ଏଆଇବିପି ପ୍ରକଳ୍ପଗୁଡିକ ପାଇଁ ୨,୨୫୮ କୋଟି, ବିଜୁ କୃଷକ ବିକାଶ ଯୋଜନା ପାଇଁ ୪୦୦ କୋଟି, ମଧୁବାବୁ ପେନ୍ସନ ଯୋଜନା ପାଇଁ ୧,୫୦୯ କୋଟି, ଅତିରିକ୍ତ ପୁଷ୍ଟୀକରଣ ଯୋଜନା ପାଇଁ ୧,୧୧୩ କୋଟି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୫୦୦ କୋଟି, ଏସ୍ଟି ଓ ଏସ୍ସି ଛାତ୍ରୀଛାତ୍ରଙ୍କ ପାଇଁ ୯୦୩ କୋଟି , ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ୧୮୦ କୋଟି, ବିଧାୟକ ଉନ୍ନୟନ ପାଣ୍ଠି ବାବଦରେ ୪୪୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ପାର୍ବତୀଗିରି ବୃହତ୍ ଉଠାଜଳସେଚନ ପାଇଁ ୮୬୦ କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରାଯାଇଥିବା ବେଳେ ବ୍ଲୁ ରିଭୋଲ୍ୟୁଶନ ପାଇଁ ୧୬୧ କୋଟି, ଶସ୍ୟଋଣ ବାବଦ ସୁଧ ପାଇଁ ୮୧୯ କୋଟି, ମମତା ଯୋଜନା ପାଇଁ ୨୭୯ କୋଟି, ଏକାମ୍ର କ୍ଷେତ୍ର ପାଇଁ ୨୦୦ କୋଟି ଏବଂ ସମଲେଶ୍ୱରୀ ମନ୍ଦିର ବିକାଶ ପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଉରକେଲା ହକି ଷ୍ଟାଡିୟମ ପାଇଁ ୯୦ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଏୟାର ଷ୍ଟ୍ରିପ୍ଗୁଡିକର ବିକାଶ ପାଇଁ ୧୦୦ କୋଟି ବ୍ୟୟବରାଦ କରାଯାଇଛି।
ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ସରକାର ପ୍ରାଥମିକତା ଦେଇଛନ୍ତି। ଏଥିପାଇଁ ବଜେଟରେ ୯,୧୬୪ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି, ଯାହାକି ଗତ ବଜେଟ ତୁଳନାରେ ୧୯% ଅଧିକ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧,୩୫୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଏସ୍ସିବି ମେଡିକାଲ କଲେଜକୁ ଏକ୍ସପ୍ଲସ୍ କରିବାକୁ ଚଳିତ ବଜେଟରେ ୫୦୦ କୋଟି ଟଙ୍କା ବ୍ୟବସ୍ଥା ହୋଇଛି। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ପାଇଁ ୧,୫୭୨ କୋଟି, ମାଗଣାରେ ଔଷଧ ଯୋଗାଇ ଦେବାକୁ ୬୦୦ କୋଟି ବ୍ୟୟବରାଦ କରାଯାଇଛି। ଏମ୍ଜିଏନ୍ଆରଇଜିଏସ୍ ପାଇଁ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିଛନ୍ତି। କୋଭିଡ୍ ଯୋଗୁ ଜୀବନ ଜୀବିକା ହରାଇଥିବା ଶ୍ରମିକଙ୍କ ପାଇଁ ସରକାର ସହରୀ ଶ୍ରମ ନିଯୁକ୍ତି ଯୋଜନା-ମୁକ୍ତା ଆରମ୍ଭ କରିଛନ୍ତି। ଏଥିପାଇଁ ବଜେଟରେ ୧୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ବଜେଟରେ ୨୪ ହଜାର ୩୭୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶ ସକାଶେ ୧,୭୯୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ୩୦ଟି ପୋଲ, ୨ଟି ରେଳ ଓଭରବ୍ରିଜ ଏବଂ ୧ ହଜାର କିଲୋମିଟର ରାସ୍ତା ନିର୍ମାଣ ହେବ। ଏଥିପାଇଁ ବଜେଟରେ ୨,୨୯୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବରମୁଣ୍ଡା ବସ୍ଷ୍ଟାଣ୍ଡ ଓ କଟକ ବସ୍ ଟର୍ମିନାଲ ପାଇଁ ୧୦୦ କୋଟି ଟଙ୍କା ଲେଖାଏ ବରାଦ କରାଯାଇଛି। ନ୍ୟାୟ ପ୍ରଦାନ, ଆଭ୍ୟନ୍ତରୀଣ ସୁରକ୍ଷା, ଅଗ୍ନି, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ବଜେଟରେ ୬,୪୨୪ କୋଟି ବ୍ୟବସ୍ଥା ହୋଇଛି। ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ୪୬୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ କୋଭିଡ୍ ସମୟର ସହାୟତା ପାଇଁ ୨୮୯କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ଐତିହ୍ୟର ବିକାଶ ପାଇଁ ୧୩୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।
ବିଧାନସଭାରେ ପେପରଲେସ୍ ବଜେଟ କରି ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ହୋଇପାରିଛି। ଏହାଦ୍ୱାରା ସରକାର ୧.୫ କୋଟି ପୃଷ୍ଠା କାଗଜ ବଞ୍ଚାଇବା ସହ ୨ ହଜାର ବଡ ଗଛକୁ ସୁରକ୍ଷା ଦେଇପାରିଛନ୍ତି।