ଖଣି, ଇସ୍ପାତ ଉତ୍ପାଦନ ଅଭିବୃଦ୍ଧି ଉପରେ ଫୋକସ୍‌

ଭୁବନେଶ୍ୱର, ୩ା୩(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଏବଂ ସିଇଓ ଆଦିତ୍ୟ ମିତ୍ତଲଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବୈଠକରେ ଓଡ଼ିଶାରେ ଇସ୍ପାତ ଉତ୍ପାଦନ, ଖଣିକ୍ଷେତ୍ରର ଅଭିବୃଦ୍ଧି ଏବଂ କମ୍ପାନୀର ସମ୍ପ୍ରସାରଣ ସହ ଜଡ଼ିତ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଓଡ଼ିଶାକୁ ଇସ୍ପାତର ପେଣ୍ଠସ୍ଥଳୀରେ ପରିଣତ କରିବା ଏବଂ ଏଥିରେ ଆର୍ସେଲର ମିତ୍ତଲର ଭୂମିକା କ’ଣ ରହିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ଧର୍ମେନ୍ଦ୍ର କହିଛନ୍ତି। ଏଥିସହିତ ନୂତନ ଉଦ୍ଭାବନ ମାଧ୍ୟମରେ ତୈଳ, ଗ୍ୟାସ୍‌, ଇସ୍ପାତ, ପେଟ୍ରୋକେମିକାଲ ଏବଂ ଖଣିକ୍ଷେତ୍ରକୁ ଅଧିକ ମଜଭୁତ୍‌ କରିବା, ଦକ୍ଷତାସମ୍ପନ୍ନ, ବିଶ୍ୱସ୍ତରୀୟ ପ୍ରତିଯୋଗିତା ଲାଗି ପ୍ରସ୍ତୁତି ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଛି।
୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ମିଲିୟନ ଟନ୍‌ ଇସ୍ପାତ ଉପତ୍ାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। କେବଳ ଓଡ଼ିଶାରୁ ୧୦୦ ମିଲିୟନ ଟନ୍‌ ଇସ୍ପାତ ଉପତ୍ାଦନ କରାଯିବାକୁ ଯୋଜନା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନ ଏବଂ ଆତ୍ମନିର୍ଭର ଭାରତ ଆନୁକୂଲ୍ୟରେ ଓଡ଼ିଶାରେ ଥିବା ଧାତବ ଖଣିଜର ଭୂମିକା, ଏ କ୍ଷେତ୍ରରେ ଓଡ଼ିଶାର ଯୋଗଦାନ ନେଇ ଆଲୋଚନା ହୋଇଛି। ଇସ୍ପାତ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ସହ ଘରୋଇ ଇସ୍ପାତ ବୃଦ୍ଧି ଦିଗରେ ଗୁରୁତ୍ୱ ଦିଆଯାଉଛି। ବିଶ୍ୱର ସର୍ବବୃହତ୍‌ ଇସ୍ପାତ ଉପତ୍ାଦନକାରୀ କମ୍ପାନୀଙ୍କ ମଧ୍ୟରୁ ଅନ୍ୟତମ ଏହି କମ୍ପାନୀ ଭାରତରେ ସମ୍ପ୍ରସାରଣ କରିବା ପାଇଁ ଇଚ୍ଛୁକ। ଏଥିଲାଗି ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଧର୍ମେନ୍ଦ୍ର ପ୍ରତିଶ୍ରୁତି ଦେଇଛନ୍ତି।

Share