Categories: ଖେଳ

ଏସିଆନ ଗେମ୍ସ ଉପରେ ଫୋକସ

ବେଙ୍ଗାଲୁରୁ, ୨୩।୫: ୟୁରୋପରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଖେଳିବା ପାଇଁ ଭାରତୀୟ ହକି ଦଳ ସୋମବାର ଲଣ୍ଡନ ଯାତ୍ରା କରିଛି। ମେ’ ୨୬ରୁ ଆରମ୍ଭ ହେଉଥିବା ଏହି ଲିଗ୍‌ରେ ଭାରତୀୟ ଦଳ ପ୍ରଥମ ପର୍ଯ୍ୟାୟରେ ଅଲିମ୍ପିକ୍ସ ଚାମ୍ପିୟନ ବେଲ୍‌ଜିୟମ ଏବଂ ଆୟୋଜକ ଗ୍ରେଟ୍‌ ବ୍ରିଟେନ୍‌କୁ ଭେଟିବ। ବେଲଜିୟମ ବିପକ୍ଷରେ ୨୬ ଓ ଜୁନ୍‌ ୨ରେ ଏବଂ ବ୍ରିଟେନ୍‌ ବିପକ୍ଷରେ ମେ’ ୨୭ ଓ ଜୁନ୍‌ ୩ରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହାପରେ ଭାରତୀୟ ଦଳ ଇନ୍‌ଧୋଭେନ ଯାଇ ଆୟୋଜକ ନେଦରଲାଣ୍ଡ୍ସ (ଜୁନ୍‌ ୭ ଓ ୧୦) ଏବଂ ଆର୍ଜେଣ୍ଟିନା (ଜୁନ୍‌ ୮ ଓ ୧୧) ବିପକ୍ଷରେ ଖେଳିବ। ”ଆମେ ଆଗାମୀ ଦିନରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରୋ ଲିଗ୍‌ ମ୍ୟାଚ୍‌ ଖେଳିବାକୁ ଯାଉଛୁ। ବର୍ତ୍ତମାନ ଆମେ ଟେବୁଲରେ ଦୃଢ଼ ସ୍ଥିତିରେ ରହିଛୁ। ଆସନ୍ତା ମ୍ୟାଚ୍‌ଗୁଡ଼ିକରୁ ଯଥାସମ୍ଭବ ଅଧିକ ପଏଣ୍ଟ ସଂଗ୍ରହ ପାଇଁ ଚେଷ୍ଟା କରିବୁ। କ୍ୱାଲିଟି ଟିମ୍‌ଗୁଡ଼ିକ ବିପକ୍ଷରେ ଖେଳିବାର ସୁଯୋଗ ମିଳିଥିବାରୁ ଆମେ ଏହି ଟୁର୍‌କୁ ନେଇ ଉତ୍ସାହିତ ଅଛୁ। ଚଳିତ ବର୍ଷ ଶେଷଭାଗରେ ଏସିଆନ ଗେମ୍ସ ଅନୁଷ୍ଠିତ ହେବ। ଆମେ ଏଥିପାଇଁ ପ୍ରସ୍ତୁତି ପଥରେ ରହିଥିବାରୁ ଆଗାମୀ ମ୍ୟାଚ୍‌ଗୁଡ଼ିକ ବହୁ ଗୁରୁତ୍ୱପୂର୍ଣ୍ଣ“ ବୋଲି ଅଧିନାୟକ ହରମନପ୍ରୀତ ସିଂ ପ୍ରକାଶ କରିଛନ୍ତି।
ଏହା ପୂର୍ବରୁ ଭାରତ ଘରୋଇ ପରିବେଶରେ ବିଶ୍ୱ ଚାମ୍ପିୟନ ଜର୍ମାନୀ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଅପରାଜେୟ ରହିଥିଲା। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ଗୁଡ଼ିକ ଭାରତୀୟ ଦଳର ମନୋବଳ ବଢ଼ାଇଥିଲା। ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରରେ ଜାତୀୟ କୋଚିଂ କ୍ୟାମ୍ପ୍‌ରେ ମଧ୍ୟ ଜାତୀୟ ଦଳର ଖେଳାଳିମାନେ ଉତ୍ତମ ଟ୍ରେନିଂ କରିଛନ୍ତି। ତେଣୁ ମୋମେଣ୍ଟମ୍‌ ବଜାୟ ରଖିବା ସପକ୍ଷରେ ମତବ୍ୟକ୍ତ କରିଛନ୍ତି ହରମନପ୍ରୀତ। ନବନିଯୁକ୍ତ ମୁଖ୍ୟ କୋଚ୍‌ କ୍ରେଗ୍‌ ଫୁଲଟନଙ୍କ ତତ୍ତ୍ୱାବଧାନରେ ଭାରତ ପ୍ରଥମଥର ପାଇଁ ୟୁରୋପରେ ମ୍ୟାଚ୍‌ ଖେଳିବ।

Share