ହସ୍ତାକ୍ଷରକୁ ଅନୁକରଣ କରିବ ସଫ୍ଟଓ୍ବେର

କୌଣସି ବ୍ୟକ୍ତିଙ୍କର ହସ୍ତାକ୍ଷରକୁ ଅନୁକରଣ କରି ତାହାର ଅବିକଳ ନକଲ କରିହେବ। ନିକଟରେ ଏପରି ଏକ ସଫ୍ଟଓ୍ବେର ବିକିଶିତ ହୋଇଛି। ୟୁନିଭର୍ସିଟି କଲେଜ ଅଫ ଲଣ୍ଡନର ବିଶେଷଜ୍ଞମାନେ ଏଭଳି ପ୍ରୟାସ କରି ସଫଳ ହୋଇଛନ୍ତି। ପ୍ରତ୍ୟେକ ବ୍ୟକ୍ତିର ହାତଲେଖାରେ ଭିନ୍ନତା ରହିଛି। ସେଥିପାଇଁ ଜଣେ ବ୍ୟକ୍ତିର ହସ୍ତାକ୍ଷର ହିଁ ତାକୁ ଚିହ୍ନାଇବାରେ ସାହାଯ୍ୟ କରିଥାଏ। ତେବେ ନୂତନ ଭାବରେ ବିକଶିତ ହୋଇଥିବା ସଫ୍ଟଓ୍ବେର ଜଣେ ବ୍ୟକ୍ତିର ଅକ୍ଷର ଶୈଳୀକୁ ଅନୁଧ୍ୟାନ କରି ପୁଣି ଥରେ ଅବିକଳ ଭାବରେ ସେହିପରି ଲେଖିପାରିବ। କେବଳ ସେତିକି ନୁହେଁ,ଏଭଳି ପ୍ରଣାଳୀ ଦ୍ୱାରା ଐତିହାସିକ ଲେଖାର ନମୁନାକୁ ଅବିକଳ ନକଲ କରାଯାଇପାରିବ ବୋଲି ଏହି ସଫ୍ଟଓ୍ବେରର ପ୍ରସ୍ତୁତକାରୀ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।