ଜୀବନରେ ଶାନ୍ତି ପାଇବାକୁ ହେଲେ ମାନନ୍ତୁ ଏସବୁ କଥା…

ଜୀବନରେ ଶାନ୍ତି ପାଇବାକୁ ସମସ୍ତଙ୍କର ଇଚ୍ଛା ଥାଏ। ହେଲେ ବେଳେବେଳେ ଛୋଟମୋଟ ଭୁଲ୍‌ ଯୋଗୁ ଘରେ ଅଶାନ୍ତି ଲାଗିରହେ ଆଉ ସୁଖସମୃଦ୍ଧିରେ ବାଧା ସୃଷ୍ଟି ହୁଏ। ଯେମିତିକି: * ଶୋଇକି ଉଠିବା ପରେ ଅସଜଡ଼ା ଶେଯକୁ ନ ସଜାଡ଼ଲେ, ଘରେ ଶନି ଦେବତାଙ୍କର କୁ-ଦୃଷ୍ଟି ପଡି ସୁଖଶାନ୍ତିରେ ବାଧା ସୃଷ୍ଟି ହୋଇଥାଏ।

* କୁହାଯାଏ, ଖାଇଲାବେଳେ ଖାଦ୍ୟ ଥାଳିରେ ଯେଉଁ ଲୁଣ ଦିଆଯାଇଥାଏ, ତାହାକୁ ତଳେ ପକାଇଲେ କିମ୍ବା ହାତରେ ଲାଗିଥିବା ଲୁଣକୁ ଲୁଗାରେ ପୋଛିଲେ ବି ଘରେ ଅଶାନ୍ତି ଲାଗି ରହିବା ସହିତ କରଜ ବଢିଥାଏ। ତେଣୁ ଏହି ଲୁଣକୁ ତଳେ ନ ଫୋପାଡି ବରଂ ପାଣିରେ ଧୋଇଦେବେ।

* ସେହିପରି ଘରେ ବ୍ୟବହୃତ ହେଉଥିବା ପାଣି ଟ୍ୟାପ୍‌କୁ ବନ୍ଦ କରିବା ସତ୍ତ୍ୱେ ଯଦି ସେଥିରୁ ପାଣି ଝରୁଥାଏ, ତା’ହେଲେ ବି ଘରେ ଅଭାବ ଅନଟନ ଦେଖାଯିବା ସହ ଅମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ତେଣୁ ପାଣି ଲିକ୍‌ କରୁଥିବା ଏହି ଟ୍ୟାପ୍‌କୁ ତୁରନ୍ତ ଠିକ୍‌ କରିଦେବା ଦରକାର।

* ଠାକୁର ପୂଜା କରିବା ସମୟରେ ସକାଳେ ହେଉ ଅବା ସନ୍ଧ୍ୟାରେ ଥରୁଟିଏ ହେଉ ନା କାହିଁକି ଠାକୁରଙ୍କ ପାଖେ ଝୁଣା ଧୂପ କିମ୍ବା କର୍ପୁର ଆଳତି କଲେ ପ୍ରଭୂକୃପା ମିଳିବା ସହିତ ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ଜ୍ୟୋର୍ତିବଦ୍‌ମାନେ ମତ ଦେଇଥାନ୍ତି।

* ଅନ୍ୟପକ୍ଷେ ଶ୍ରୀଯନ୍ତ୍ର କିମ୍ବା ନାଲି କପଡ଼ାରେ ଗୁଡ଼ା ହୋଇଥିବା ନଡିଆକୁ ଠାକୁରଘରେ ପୂଜା ପାଉଥିବା ମା’ ଲକ୍ଷ୍ମୀଙ୍କ ପାଖରେ ରଖିଲେ ମା’ଙ୍କର କରୁଣା ପ୍ରାପ୍ତ ହୋଇ ଘରେ ସୁଖଶାନ୍ତି ବଢିଥାଏ ବୋଲି ବିଶ୍ୱାସ ରହିଛି।