ପ୍ରାଣକୃଷ୍ଣ ପରିଜା
ଜଗତ୍ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ (ପ୍ଲାଣ୍ଟ ଫିଜିଓଲୋଜି) ଉପରେ ଗବେଷଣା ତାଙ୍କୁ ପରିଚିତି ଦେଇଥିଲା। ସେ ରେଭେନ୍ଶା ମହାବିଦ୍ୟାଳୟର ଅଧ୍ୟକ୍ଷ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରୋ ଭାଇସ୍ ଚାନ୍ସେଲର ରହିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ପରିଜା ପାଠାଗାର ତାଙ୍କ ନାମରେ ନାମିତ ହୋଇଛି। ସେ ୧୯୬୦ରେ ଭାରତୀୟ ବିଜ୍ଞାନ କଂଗ୍ରେସର ସଭାପତି ଥିଲେ। ପ୍ରଥମ ଓଡ଼ିଶା ବିଧାନସଭା ସଭ୍ୟ ଭାବେ ସେ ନିର୍ବାଚିତ ହୋଇଥିଲେ। ୨ ଜୁନ୍ ୧୯୭୮ରେ ତାଙ୍କ ଦେହାନ୍ତ ହୋଇଥିଲା।
ହରେକୃଷ୍ଣ ମହତାବ
ଅବିଭକ୍ତ ବାଲେଶ୍ୱର ଜିଲା (ଏବେ ଭଦ୍ରକ ଜିଲା) ଆଗରପଡ଼ାରେ ଏକ ଅଭିଜାତ ପରିବାରରେ ୨୧ ନଭେମ୍ବର ୧୮୯୯ରେ ଜନ୍ମଗ୍ରହଣ କରିଥିବା ହରେକୃଷ୍ଣ ମହତାବ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ ବହୁବାର କାରାବରଣ କରିଥିଲେ। ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବମ୍ବେର ରାଜ୍ୟପାଳ ଥିଲେ। ଜାତୀୟ ସ୍ତରରେ ଜଣେ ରାଜନେତା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ‘ପ୍ରଜାତନ୍ତ୍ର’, ‘ଇଷ୍ଟର୍ନ ଟାଇମ୍ସ’, ‘ମିନାବଜାର’, ‘ଝଙ୍କାର’ ଆଦିର ପ୍ରବର୍ତ୍ତନ କରି ଓଡ଼ିଆ ସାମ୍ବାଦିକତା ଓ ସାହିତ୍ୟର ଗରିମା ବୃଦ୍ଧି କରିଥିଲେ। ମହତାବଙ୍କ ପରିକଳ୍ପିତ ‘ବିଷୁବ ମିଳନ’ ଓଡ଼ିଶାରେ ସାଂସ୍କୃତିକ ଜାଗରଣ ଆଣିଥିଲା। ଓଡ଼ିଶା ଇତିହାସ, ଗାଁ ମଜଲିସ୍ ଓ ଆରବ ସାଗରରୁ ଚିଲିକା ଆଦି ତାଙ୍କ ଚର୍ଚ୍ଚିତ ପୁସ୍ତକ। ୨ ଜାନୁୟାରୀ ୧୯୮୭ରେ କଟକଠାରେ ତାଙ୍କର ପରଲୋକ ହୋଇଥିଲା।
ବିଜୁ ପଟ୍ଟନାୟକ
କଟକଠାରେ ୫ ମାର୍ଚ୍ଚ ୧୯୧୬ରେ ଜନ୍ମଗ୍ରହଣ କରିଥିବା ବିଜୁ ପଟ୍ଟନାୟକଙ୍କ ପୈତୃକ ଘର ଗଞ୍ଜାମ ଜିଲା ବେଲଗୁଣ୍ଠା ଅଧୀନ ଘୁମୁସର ନୂଆଗାମ। ଶିଳ୍ପପତି, ବୈମାନିକ ଓ ରାଜନେତା ଭାବେ ଓଡ଼ିଶା ସମେତ ଦେଶରେ ଥିଲେ ବେଶ୍ ଜଣାଶୁଣା। ଓଡ଼ିଶା ମୁଖ୍ୟମନ୍ତ୍ରୀ ସହ କେନ୍ଦ୍ରମନ୍ତ୍ରୀ ଥିଲେ। ଦୁଃସାହସିକ ବୈମାନିକ ଭାବେ ଇଣ୍ଡୋନେସିଆ ସରକାର ତାଙ୍କୁ ‘ଭୂମିପୁତ୍ର’ ଉପାଧିରେ ଭୂଷିତ କରିଥିଲେ। ବିଜ୍ଞାନ ଓ ବୈଷୟିକ ବିଦ୍ୟାକୁ ଲୋକପ୍ରିୟ କରିବା ପାଇଁ ସେ ନିଜସ୍ବ ଅର୍ଥରେ ୟୁନେସ୍କୋ ମାଧ୍ୟମରେ ‘ଅନ୍ତର୍ଜାତୀୟ କଳିଙ୍ଗ ପୁରସ୍କାର’ ପ୍ରବର୍ତ୍ତନ କରିଥିଲେ। ୧୭ ଏପ୍ରିଲ ୧୯୯୭ରେ ତାଙ୍କ ଦେହାନ୍ତ ହୋଇଥିଲା।
କାଳିନ୍ଦୀ ଚରଣ ପାଣିଗ୍ରାହୀ
କବି, ଔପନ୍ୟାସିକ, ଗାଳ୍ପିକ, ନାଟ୍ୟକାର ତଥା ପ୍ରାବନ୍ଧିକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓଡ଼ିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିଯାଇଛନ୍ତି। ୨ ଜୁଲାଇ ୧୯୦୧ରେ ପୁରୀ ଜିଲା ବିଶ୍ୱନାଥପୁରରେ ଜନ୍ମଗ୍ରହଣ କରିଥିବା କାଳିନ୍ଦୀଙ୍କ ସର୍ବଶ୍ରେଷ୍ଠ କୃତି ‘ମାଟିର ମଣିଷ’ ଲାଗି ସେ ଘରେ ଘରେ ପରିଚିତ। ଏହା ଭାରତୀୟ ସବୁ ଭାଷାରେ ସାହିତ୍ୟ ଏକାଡେମୀକୃତ ଅନୂଦିତ-ନାଟ୍ୟରୂପ ଓ ଚିତ୍ରରୂପ ପାଇପାରିଥିଲା। ‘ମାଂସର ବିଳାପ’ର ନାଟ୍ୟରୂପ ସବୁ ଭାରତୀୟ ଭାଷାରେ ଆକାଶବାଣୀ ଦ୍ୱାରା ପ୍ରସାରିତ ହୋଇଛି। ରେଭେନ୍ଶା କଲେଜରେ ପଢ଼ିଲାବେଳେ ନନ୍ସେନ୍ସ କ୍ଲବ୍ ପ୍ରତିଷ୍ଠା କରିବା ସହ ସବୁଜ ଯୁଗର କବି ଭାବେ ପରିଚିତ ଥିଲେ। ଜୀବନବ୍ୟାପୀ ସାଧନା ଲାଗି ୧୯୭୧ ମସିହାରେ ସେ ସାହିତ୍ୟ ଏକାଡେମୀର ଫେଲୋଶିପ୍ ସମ୍ମାନ ପାଇବା ସହ ସେହି ବର୍ଷ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ। ‘ଧରିତ୍ରୀ’ ଖବରକାଗଜର ପ୍ରାଣ ପ୍ରତିଷ୍ଠାତା କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ୧୫ ମେ’ ୧୯୯୧ରେ କଟକଠାରେ ଦେହାନ୍ତ ହୋଇଥିଲା।
ନନ୍ଦିନୀ ଶତପଥୀ
ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଲୌହମାନବୀ ଭାବେ ପରିଚିତ। ସେ ୧୪ ଜୁନ୍ ୧୯୭୨ରୁ ୩ ମାର୍ଚ୍ଚ ୧୯୭୩ ଏବଂ ୬ ମାର୍ଚ୍ଚ ୧୯୭୪ରୁ ୧୬ ଡିସେମ୍ବର ୧୯୭୬ ଯାଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିଲେ। ଏଥିସହିତ ସେ କେନ୍ଦ୍ରରେ ତଥ୍ୟ ଓ ବେତାର ମନ୍ତ୍ରଣାଳୟର ଉପମନ୍ତ୍ରୀ ହୋଇଥିଲେ। ସେ ୯ ଜୁନ୍ ୧୯୩୧ରେ କଟକଠାରେ ଜନ୍ମଗ୍ରହଣ କରିଥିଲେ। ବିଶିଷ୍ଟ ସାହିତି୍ୟକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଏବଂ ରତ୍ନମଣି ପାଣିଗ୍ରାହୀଙ୍କ କନ୍ୟା ନନ୍ଦିନୀ ଯୁବା ଅବସ୍ଥାରେ କକା ବିଶିଷ୍ଟ ବାମପନ୍ଥୀ ନେତା ଭଗବତୀ ଚରଣ ପାଣିଗ୍ରାହୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତି କ୍ଷେତ୍ରକୁ ଆସିଥିଲେ। ରାଜନୀତି ସହିତ ସେ ସାହିତ୍ୟ କ୍ଷେତ୍ରରେ ମଧ୍ୟ ବେଶ୍ ପାରଙ୍ଗମ ଥିଲେ। ତସ୍ଲିମା ନସ୍ରିନ୍ଙ୍କ ଲଜ୍ଜା ଉପନ୍ୟାସକୁ ସେ ଓଡ଼ିଆରେ ଅନୁବାଦ କରିଥିଲେ। ଓଡ଼ିଆ ସାହିତ୍ୟକୁ ଅବଦାନ ନିମନ୍ତେ ତାଙ୍କୁ ୧୯୯୮ରେ ସାହିତ୍ୟ ଭାରତୀ ସମ୍ମାନରେ ବିଭୂଷିତ କରାଯାଇଥିଲା। ‘ଧରିତ୍ରୀ’ ଖବରକାଗଜର ପ୍ରେରଣାଦାୟିନୀ ନନ୍ଦିନୀ ଦେବୀଙ୍କ ୪ ଅଗଷ୍ଟ ୨୦୦୬ରେ ଭୁବନେଶ୍ୱରଠାରେ ପରଲୋକ ଘଟିଥିଲା।
ଦ୍ରୌପଦୀ ମୁର୍ମୁ
ମୟୂରଭଞ୍ଜ ଜିଲା କୁସୁମୀ ବ୍ଲକର ଉପରବେଡ଼ାରେ ୨୦ ଜୁନ୍ ୧୯୫୮ରେ ଏକ ସାନ୍ତାଳ ପରିବାରରେ ଦ୍ରୌପଦୀ ମୁର୍ମୁ ଜନ୍ମଗ୍ରହଣ କରିଥିଲେ। ସ୍ବାଧୀନତା ପରେ ଜନ୍ମ ହୋଇଥିବା ଏହି ମହିଳା ଭାରତର ସର୍ବକନିଷ୍ଠା ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଭାବେ ୨୫ ଜୁଲାଇ ୨୦୨୨ରେ ଦାୟିତ୍ୱ ଗ୍ରହଣ କରିଥିଲେ। ଦେଶର ୧୫ତମ ରାଷ୍ଟ୍ରପତି ହେବା ପୂର୍ବରୁ ସେ ଓଡ଼ିଶାର ମନ୍ତ୍ରୀ ଓ ଝାଡ଼ଖଣ୍ଡର ରାଜ୍ୟପାଳ ମଧ୍ୟ ଥିଲେ।
ନବୀନ ପଟ୍ଟନାୟକ
ଓଡ଼ିଶାର ୧୪ତମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ସର୍ବାଧିକକାଳ ମୁଖ୍ୟମନ୍ତ୍ରୀ ହେବାର ସେ ଗୌରବ ଅର୍ଜନ କରିଛନ୍ତି। ସିକିମ୍ର ପଓ୍ବନ କୁମାର ଚାମ୍ଲିଙ୍ଗ ଓ ପଶ୍ଚିମବଙ୍ଗର ଜ୍ୟୋତି ବସୁଙ୍କ ପରେ ସେ ଦେଶର ତୃତୀୟ ମୁଖ୍ୟମନ୍ତ୍ରୀ, ଯିଏ କ୍ରମାଗତ ୫ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ୧୯୯୭ରୁ ସେ ବିଜୁ ଜନତା ଦଳ (ବିଜେଡି) ସଭାପତି ରହିଆସିଛନ୍ତି। ସେ ମଧ୍ୟ କେନ୍ଦ୍ରରେ ଇସ୍କାତ ଓ ଖଣି ମନ୍ତ୍ରୀ ଥିଲେ। ୧୬ ଅକ୍ଟୋବର ୧୯୪୬ରେ ସେ କଟକଠାରେ ଜନ୍ମଗ୍ରହଣ କରିଥିଲେ। ପିତା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ମାତା ଜ୍ଞାନ ଦେବୀ। ପିତାଙ୍କ ଦେହାନ୍ତ ପରେ ଓଡ଼ିଶା ରାଜନୀତିକୁ ଆସିଥିଲେ ଓ ୨୦୦୦ ମସିହାରୁ ଅପ୍ରତିଦ୍ୱନ୍ଦ୍ୱୀ ରାଜନେତା ଭାବେ ଇତିହାସ ରଚିଛନ୍ତି। ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ଓ ଗରିବଙ୍କୁ ସୁହାଇଲା ଭଳି ନୀତି ଆଣି ସେ ରାଜ୍ୟବାସୀଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ରାଜନୀତିକୁ ପ୍ରବେଶ କରିବା ପୂର୍ବରୁ ନବୀନ ଲେଖକ ଭାବେ ପରିଚିତ ଥିଲେ।
ତୁଳସୀ ମୁଣ୍ଡା
କେନ୍ଦୁଝର ଜିଲାର କୈନସିଠାରେ ୧୫ ଜୁଲାଇ ୧୯୪୭ରେ ତୁଳସୀଙ୍କ ଜନ୍ମ। ସେ ମୁଣ୍ଡା ସମ୍ପ୍ରଦାୟର। ସେ ମଧ୍ୟ ନିରକ୍ଷର ଥିଲେ। ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରିଥିବାରୁ ପିଲାଙ୍କ ଦୁଃଖ ଅନୁଭବ କରିଥିଲେ। ୧୯୬୧ରେ ସମାଜ ସଂସ୍କାରକ ରମାଦେବୀ ଚୌଧୁରୀ, ମାଳତୀ ଚୌଧୁରୀଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନେ ମହିଳା ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବାରୁ ତାହା ତୁଳସୀଙ୍କୁ ପ୍ରଭାବିତ କରିଥିଲା। ୧୯୬୩ରେ ବିନୋବା ଭାବେ ଭୂଦାନ ଆନ୍ଦୋଳନ ବେଳେ ଓଡ଼ିଶା ଆସିଥିବା ବେଳେ ତୁଳସୀ ତାଙ୍କୁ ଭେଟିଥିଲେ। ଆଦିବାସୀ ପିଲାଙ୍କୁ ଶିକ୍ଷିତ କରିବା ଲକ୍ଷ୍ୟ ନେଇ ସେ ଅନୌପଚାରିକ ଭାବେ ୧୯୬୪ରେ ତାଙ୍କ ଜିଲାରେ ସ୍କୁଲ ଖୋଲିଥିଲେ। ପରବର୍ତ୍ତୀ ସମୟରେ ‘ଆଦିବାସୀ ବିକାଶ ସମିତି ସ୍କୁଲ’ ଗଢ଼ିଥିଲେ। ୧୯୬୪ରୁ ତାଙ୍କ ଉଦ୍ୟମରେ ପ୍ରାୟ ୨୦ ହଜାର ପିଲା ଶିକ୍ଷିତ ହୋଇପାରିଛନ୍ତି। ଗରିବ ଆଦିବାସୀଙ୍କୁ ଶିକ୍ଷିତ କରି ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଭାରତ ସରକାର ତାଙ୍କୁ ୨୦୦୧ରେ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରିଥିଲେ।
ବାଳକୃଷ୍ଣ ଦାସ
ଓଡ଼ିଶୀ ସଙ୍ଗୀତ ଗୁରୁ ତଥା ଓଡ଼ିଶୀ ଶାସ୍ତ୍ରୀୟ ଗାୟକ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ୧୫ ମେ ୧୯୨୩ରେ ପୁରୀ ଜିଲାର ବାଳକାଟି ବାଲିପାଟଣା ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ଗ୍ରାମଫୋନ୍ ରେକର୍ଡରୁ ସୁଲଳିତ ଓ ସୁମଧୁର ଧାରାରେ ଝରି ଆସୁଥିବା ମନଛୁଅଁା ଗୀତ – ‘ସେ ମୁରାରୀ, ବଂଶୀଧାରୀ ସତେ ଆସିବେ କି ଫେରି,’ ‘ବୋଲ ବୋଲ ସଜନୀରେ’ ଆଦିକୁ ଶୁଣିବା ଲାଗି ସେତେବେଳେ ଶ୍ରୋତା ଆତୁର ହୋଇ ପଡ଼ୁଥିଲେ। ତାଙ୍କ ସଂଗୀତ କ୍ୟାରିୟର ଆକାଶବାଣୀ କଲିକତାରେ ଜଣେ ଓଡ଼ିଶୀ କଣ୍ଠଶିଳ୍ପୀ ଭାବେ ୧୯୪୪ରେ ଆରମ୍ଭ ହୋଇଥିଲା। ତାଙ୍କ ଦ୍ୱାରା ସ୍ବର ସଂଯୋଜିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ‘ବନ୍ଦେ ଉତ୍କଳ ଜନନୀ’ ଆଜି ଓଡ଼ିଶାରେ ସେହି ଗୋଟିଏ ସ୍ବରରେ ଗାନ କଲା ବେଳେ ବାଳକୃଷ୍ଣ ମନେପଡ଼ନ୍ତି। ୧୨ ନଭେମ୍ବର ୧୯୯୩ରେ ତାଙ୍କ ପରଲୋକ ଘଟିଥିଲା।
ଡା. ବିଦ୍ୟୁତ୍ ଦାସ
ଚାକିରିରୁ ଅବସର ନେବା ପରେ କଟକ ଏସ୍ସିବି ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲର ଇମ୍ୟୁନୋଲୋଜି ଆଣ୍ଡ୍ ରୁମାଟୋଲୋଜି ବିଭାଗର ମୁଖ୍ୟ ଭାବେ ପୁଣି ପ୍ରଫେସର ଡାକ୍ତର ବିଦ୍ୟୁତ୍ ଦାସ କାର୍ଯ୍ୟ କରୁଛନ୍ତି। ଜୀବନରେ କେବେ ପ୍ରାଇଭେଟ ପ୍ରାକ୍ଟିସ୍ କରିନାହାନ୍ତି। ବରଂ ଅସହାୟ ରୋଗୀଙ୍କ ପାଇଁ ସର୍ବଦା ସାହାରା ପାଲଟିଛନ୍ତି। ୩୯ ବର୍ଷର କ୍ୟାରିୟର ଭିତରେ ସେ ଦୈନିକ ବହୁସଂଖ୍ୟକ ରୋଗୀଙ୍କ ସେବା କରିଥାନ୍ତି। ସେ ୨୦୧୫ରେ କଟକ ବଡ଼ ଡାକ୍ତରଖାନାରେ ଟେଲିମେଡିସିନ୍ କନସଲ୍ଟେଶନ ସର୍ଭିସ (ଟେଲି-ର୍ୟୁମାଟୋଲୋଜି) ଆରମ୍ଭ କରିଥିଲେ। ୩୦ ଜୁନ୍ ୧୯୫୭ରେ କଟକଠାରେ ସେ ଜନ୍ମ ଗ୍ରହଣ କରିଥିଲେ।