ବିମାନରେ ଖାଦ୍ୟ, ସ୍ନାକ୍ସ ଉପରେ ଲାଗିଲା ପ୍ରତିବନ୍ଧକ

ଇସଲାମାବାଦ,୧୫ା୧: ପାକିସ୍ତାନର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ବିମାନରେ ସ୍ନାକ୍ସ ଏବଂ ଭୋଜନ ପରିବେଷଣ ଉପରେ ଶନିବାର ନିଷେଧାଦେଶ ଘୋଷଣା କରିଛନ୍ତି।

ଏହି ନିର୍ଦ୍ଦେଶନାମା ଦେଶର କୋଭିଡ୍‌-୧୯ ଟାସ୍କଫୋର୍ସ, ନ୍ୟାଶନାଲ କମାଣ୍ଡ ଆଣ୍ଡ୍‌ ଅପରେଶନ ସେଣ୍ଟର (ଏନ୍‌ଓସିସି) ପକ୍ଷରୁ ଆସିଛି। ଯାହାକି ଜାନୁୟାରୀ ୧୭ରୁ ଏହି ନିଷେଧାଦେଶ କାର୍ଯ୍ୟକାରୀ ହେବ ବୋଲି କହିଛି।

ଏନ୍‌ସିଓସି ବିଭିନ୍ନ ଅଧିକାରୀଙ୍କ ସହ ବୈଠକ କରି ଦେଶର ସାମ୍ପ୍ରତିକ କରୋନା ଭାଇରସ ସ୍ଥିତି ଉପରେ ଆଲୋଚନା କରିଥିଲା। ପରେ ଏହା ବିମାନ ଚଳାଚଳ ସ୍ନାକ୍ସ ଏବଂ ଭୋଜନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ନିଶ୍ଚିତ କରିବାକୁ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଥିଲା। ଦେଶର ସମସ୍ତ ବିମାନବନ୍ଦରରେ ମାସ୍କ ପିନ୍ଧିବା ପରି ଅନ୍ୟ କଟକଣାକୁ ମାନିବା ପାଇଁ ମଧ୍ୟ ପରାମର୍ଶ ଦେଇଛି। ସୋମବାରଠାରୁ ସାଧାରଣ ପରିବହନରେ ମଧ୍ୟ ଲାଗୁ ହେବ ବୋଲି ଏନ୍‌ଓସି ବିବୃତ୍ତିରେ କୁହାଯାଇଛି।

ଜାତୀୟ ସ୍ବାସ୍ଥ୍ୟ ସେବା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଶନିବାର ପାକିସ୍ତାନରେ ୪,୨୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share