ଆଜିଠୁ ଏସ୍‌ସିବିରେ ମିଳିବ ‘ଆହାର’

କଟକ ଅଫିସ, ୭ା୮: ଆହାର କେନ୍ଦ୍ର ଓ ହସ୍ପିଟାଲ କର୍ମଚାରୀମାନେ ବାରମ୍ବାର କରୋନା ଆକ୍ରାନ୍ତ ହେବାରୁ ପ୍ରାୟ ୪୦ଦିନ ଧରି କଟକ ସହରର ସମସ୍ତ ହସ୍ପିଟାଲରେ ଥିବା ଆହାର କେନ୍ଦ୍ରଗୁଡ଼ିକ ବନ୍ଦ ରହିଥିଲା। ଫଳରେ ହସ୍ପିଟାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଖାଦ୍ୟ ପାଇଁ ହଇରାଣ ହେଉଥିଲେ। ତେବେ ଶୁକ୍ରବାରଠାରୁ ଏସ୍‌ସିବିରେ ପୁଣି ଆହାର ସେବା ଆରମ୍ଭ ହେବ। ଏହାପରେ ୧୦ ତାରିଖଠାରୁ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ ଏବଂ ଶିଶୁଭବନରେ ଆହାର ସେବା ଆରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି କଟକ ମହାନଗର ନିଗମର ବସ୍ତି ଉନ୍ନୟନ ଅଧିକାରୀ ଅମୃତ ସରକାର କହିଛନ୍ତି। ପୂର୍ବଭଳି ଏସ୍‌ସିବିରେ ୧୨୦୦, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ୬୫୦ ଏବଂ ଶିଶୁଭବନ ପାଇଁ ୪୫୦ ପ୍ଲେଟ ଯୋଗାଇ ଦିଆଯିବ। ଏଥର ଅକ୍ଷୟ ପାତ୍ର ଚାରିଟେବୁଲ ଟ୍ରଷ୍ଟକୁ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସହଯୋଗର ହାତ ବଢାଇଛନ୍ତି। ଏହି ସଦସ୍ୟାମାନେ ସମସ୍ତ ଆହାର କେନ୍ଦ୍ରରେ ଖାଦ୍ୟ ପରଷିବେ। ଏଥର ଆହାର କେନ୍ଦ୍ରଗୁଡ଼ିିକରେ ସରକାରଙ୍କ କୋଭିଡ୍‌ ଗାଇଡ୍‌ଲାଇନ୍‌ କଡ଼ାକଡ଼ି ଭାବେ ପାଳନ କରାଯିବ। ଉକ୍ତ ନୂତନ ପରିଚାଳନା ଦାୟିତ୍ୱ ଉପରେ ଅକ୍ଷୟ ପାତ୍ର ସଂସ୍ଥା ଆସ୍ଥା ପ୍ରକଟ କରିବା ସହ ଆଗାମୀ ଦିନରେ ଯୋଜନା ଅଧିକ ଆଦୃତ ହୋଇ ପାରିବ ବୋଲି ଆଶା ପ୍ରକାଶ କରିଛି।

Share