ଶ୍ରୀଲଙ୍କା-ପାକିସ୍ତାନ ପରେ ଭାରତର ଏହି ପଡ଼ୋଶୀ ଦେଶରେ ଉପୁଜୁଛି ଖାଦ୍ୟ ସଙ୍କଟ

ଥିମ୍ଫୁ,୨୭।୫: ଇନ୍ଧନ ଆମଦାନୀ ମୂଲ୍ୟ ବୃଦ୍ଧି ସାଙ୍ଗକୁ ଖାଦ୍ୟ ଶସ୍ୟର ଘରୋଇ ମୂଲ୍ୟରେ ବୃଦ୍ଧିର ପ୍ରଭାବ ଯୋଗୁ ବିଭିନ୍ନ ଦେଶରେ ଖାଦ୍ୟ ସଙ୍କଟ ଦେଖାଦେଇଛି। ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା ଓ ପାକିସ୍ତାନ ଭୟଙ୍କର ଖାଦ୍ୟାଭାବ ଦେଇ ଗତି କରୁଥିବା ବେଳେ ବର୍ତ୍ତମାନ ଭୁଟାନର ଲୋକେ ମଧ୍ୟ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଛନ୍ତି। ଗ୍ରାମୀଣ ଅଞ୍ଚଳର ଲୋକେ ଖାଇବା ଓ ପିଇବା ସାମଗ୍ରୀର ଅଭାବ ଅନୁଭବ କରୁଛନ୍ତି ବୋଲି ଅର୍ଥନୈତିକ ବ୍ୟାପାର ମନ୍ତ୍ରୀ ଲୋକନାଥ ଶର୍ମା ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଭୁଟାନର ଲୋକ ସଂଖ୍ୟା ୮ ଲକ୍ଷରୁ ବି କମ୍‌। ଦେଶଟି ଛୋଟ ହୋଇଥିଲେ ମଧ୍ୟ ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଏହି ଦେଶ ଉପରେ ମଧ୍ୟ ପଡିଛି। ପ୍ରାୟ ୩ ମାସ ହେଲା ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ତେଲ, ଶସ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଦର ଆକାଶ ଛୁଆଁ ହୋଇଛି। ଏଭଳି ସ୍ଥିତିରେ ଭାରତ ଗହମ ରପ୍ତାନି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିବାରୁ ସ୍ଥାନୀୟ ମୂଲ୍ୟରେ ଆହୁରି ବୃଦ୍ଧି ହେବାର ଆଶଙ୍କା ବଢାଇ ଦେଇଛି ବୋଲି ସ୍ଥାନୀୟ ଶିଳ୍ପପତିମାନେ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷେ କରୋନା ମହାମାରୀ ବିଶ୍ବକୁ ଗ୍ରାସ କରିଥିବା ବେଳେ ଭୁଟାନ ସେଥିରୁ ମୁକ୍ତ ରହିବାରେ ସମର୍ଥ ହୋଇଥିଲେ ମଧ୍ୟ ଖାଦ୍ୟ ସଂକଟ ବର୍ତ୍ତମାନ ଦେଶବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଭୁଟାନ ଗତବର୍ଷ ଭାରତରୁ ୩୦.୩୫ ମିଲିୟନ ଶସ୍ୟ କିଣିଥିଲା। ଭୁଟାନ ବିଶେଷ କରି ଭାରତରୁ ଚାଉଳ ଓ ଗହମ କିଣିଥାଏ। ବର୍ତ୍ତମାନ ଏହି ଖାଦ୍ୟ ସଂକଟ ସମୟରେ ଭୁଟାନ ପଡୋଶୀ ଦେଶ ଭାରତରୁ ସହାୟତା ଲୋଡିଛି।

Share