Categories: ଜାତୀୟ

ଉତ୍ତାପ ବୃଦ୍ଧିରୁ ବଢ଼ୁଛି ଖାଦ୍ୟ ସଙ୍କଟ

ନୂଆଦିଲ୍ଲୀ,୨୩।୭: ବିଶ୍ୱର ଅଧିକାଂଶ ଦେଶରେ ଅତ୍ୟଧିକ ଉତ୍ତାପ ବୃଦ୍ଧି ଯୋଗୁ ଫସଲ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଭୀଷଣ ଜଳବାୟୁ ସାରା ବିଶ୍ୱରେ ଖାଦ୍ୟ ସଙ୍କଟର କେବଳ ଗୋଟିଏ କାରଣ ନୁହେଁ। ଯୁଦ୍ଧ ଏବଂ ରପ୍ତାନି କଟକଣା ମଧ୍ୟ ଖାଦ୍ୟ ସଙ୍କଟର ଅନ୍ୟତମ କାରଣ। ବିଶ୍ୱର ପାଖାପାଖି ଅଧା ଜନସଂଖ୍ୟା ପାଇଁ ଚାଉଳ ଯୋଗାଉଥିବା ଭାରତ ଚଳିତ ସପ୍ତାହରେ ଅଣବାସମତୀ ଚାଉଳ ରପ୍ତାନି ବନ୍ଦ କରିଛି। ଏଥର ମୌସୁମୀ ବର୍ଷାରେ ବିଳମ୍ବ ଯୋଗୁ କୃଷି ଉତ୍ପାଦନ ହ୍ରାସ ସମ୍ଭାବନା ଥିବାରୁ ଘରୋଇ ବଜାରରେ ଦରଦାମ୍‌ ନିୟନ୍ତ୍ରଣରେ ରଖିବା ପାଇଁ ଭାରତ ଉପରୋକ୍ତ ପଦକ୍ଷେପ ନେଇଛି। ୟୁକ୍ରେନ୍‌ ଯୁଦ୍ଧ ମଧ୍ୟ ଖାଦ୍ୟଶସ୍ୟ ଯୋଗାଣରେ ଅନ୍ତରାୟ ହୋଇଛି। କୃଷ୍ଣସାଗର ଅଞ୍ଚଳର ଦେଶଗୁଡ଼ିକୁ ନିରାପଦରେ ୟୁକ୍ରେନ୍‌ ଖାଦ୍ୟଶସ୍ୟ ଯୋଗାଣ ପାଇଁ ରହିଥିବା ଚୁକ୍ତିନାମାରୁ ରୁଷିଆ ଓହରିଯିବାରୁ ସମସ୍ୟା ସୃଷ୍ଟି ହୋଇଛି। ଏହା ବାଦ୍‌ ଏଲ୍‌ ନିନ୍ୟୋର ଆଗମନ ଯୋଗୁ କୃଷି ଉତ୍ପାଦନ କ୍ଷତିଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି। ଫଳରେ ସୁପରମାର୍କେଟ ଗୁଡ଼ିକରେ ମୂଲ୍ୟବୃଦ୍ଧି ନିୟନ୍ତ୍ରଣ ବାହାରକୁ ଯାଇପାରେ ଓ ଦୀର୍ଘଦିନ ରହିପାରେ ବୋଲି କୁହାଯାଉଛି। ବଜାର ସ୍ଥିତିରେ ସୁଧାର ଆସିବା ଲକ୍ଷ୍ୟରେ ଦୀର୍ଘଦିନ ହେଲା ଘରକରଣା ଖର୍ଚ୍ଚ କମାଇ ଅପେକ୍ଷା କରିଥିବା ଗ୍ରାହକମାନଙ୍କ ପାଇଁ ଏହା ନୂଆ ଝଟକା ହେବାକୁ ଯାଉଛି।
ଲଣ୍ଡନସ୍ଥିତ ଚାଥାମ ହାଉସ୍‌ର ଖାଦ୍ୟ ସୁରକ୍ଷା ବିଶେଷଜ୍ଞ ଟିମ୍‌ ବେଣ୍ଟନ କହିଛନ୍ତି, ଦରଦାମ୍‌ ବୃଦ୍ଧିକୁ ନେଇ ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ମୁଦ୍ରାସ୍ଫୀତିରେ ଧୀରେ ଧୀରେ କମୁଥିଲେ ମଧ୍ୟ ପୁଣିଥରେ ବୃଦ୍ଧି ପାଇବା ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଅତ୍ୟଧିକ ଉତ୍ତାପ ଏସିଆ, ୟୁରୋପ ଏବଂ ଉତ୍ତର ଆମେରିକାର ବିସ୍ତୀର୍ଣ୍ଣ ଅଞ୍ଚଳକୁ କବଳିତ କରି ରଖିଛି। ଚଳିତ ବର୍ଷ କୃଷକମାନଙ୍କ ପାଇଁ ସବୁଠୁ ଖରାପ ବର୍ଷ ବୋଲି କୁହାଯାଉଛି। କାରଣ ସେମାନଙ୍କୁ ଅନାବୃଷ୍ଟି, ବର୍ଷା ବିତ୍ପାତ ବନ୍ୟା ଭଳି ଭୀଷଣ ପାଗର ସମ୍ମୁଖୀନ ହେବାକୁ ପଡ଼ୁଛି। ଏବେ ଦକ୍ଷିଣ ୟୁରୋପରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁ ଗାଈ କମ୍‌ କ୍ଷୀର ଦେଉଥିବାବେଳେ ଟମାଟୋ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି।

Share