ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକେ ଶୀତବସ୍ତ୍ରର ବ୍ୟବହାର କରିଥାନ୍ତି। କିନ୍ତୁ ଜାଣନ୍ତି କି ଏହିଦିନେ ଶରୀର ପାଇଁ ବାହ୍ୟ ଉଷ୍ଣତା ସହ ଆଭ୍ୟନ୍ତରୀଣ ଉଷ୍ଣତାର ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଛି; ଯାହା ମିଳିଥାଏ କିଛି ବିଶେଷ ଖାଦ୍ୟ ପଦାର୍ଥରୁ। ଯେମିତିକି:
ଗୁଡ଼: ଏହାକୁ ସେବନ କଲେ ଅଧକପାଳି ମୁଣ୍ଡବିନ୍ଧା, ଥଣ୍ଡା, ଶ୍ୱାସରୋଗରୁ ଉପଶମ ମିଳିବା ସହ ପାଚନକ୍ରିୟା ବି ଠିକ୍ ହୋଇଥାଏ। ଶୀତଦିନେ ଗୁଡ଼ ଓ ରାଶି କିମ୍ବା ଗୁଡ଼ ଓ ଚିନାବାଦାମର ଲଡ଼ୁ ଖାଇଲେ ଶରୀରକୁ ଉଷ୍ଣତା ମଧ୍ୟ ମିଳିଥାଏ। ମହୁ: ଶରୀରକୁ ସୁସ୍ଥ, ନୀରୋଗ ଏବଂ ଫୂର୍ତ୍ତି ରଖିବାରେ ମହୁର ବିଶେଷ ଭୂମିକା ରହିଥାଏ। ତେଣୁ ଆୟୁର୍ବେଦରେ ମହୁକୁ ଅମୃତ ସହ ତୁଳନା କରାଯାଇଥାଏ। ପାଚନକ୍ରିୟାକୁ ଠିକ୍ ରଖିବା, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମହୁର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶୀତଦିନେ ବି ଏହାକୁ ସେବନ କଲେ ଶରୀରରେ ଫୂର୍ତ୍ତି ଆସିଥାଏ।
ରାଶି: ଶୀତଦିନେ ରାଶି ଖାଇଲେ ଶରୀରରେ ଊର୍ଜ୍ଜା ବୃଦ୍ଧି ହୋଇଥାଏ। ତଥ୍ୟ ଅନୁସାରେ, ମିଶ୍ରି ପାଣିରେ ରାଶିକୁ ଫୁଟାଇ ପିଇଲେ ଛାତିରେ ଜମାଟ ବାନ୍ଧିଥିବା କଫ ସମସ୍ୟାରୁ ବି ମୁକ୍ତି ମିଳିଥାଏ।
ଖଜୁରି: ଏଥିରେ ବିଭିନ୍ନ ପ୍ରକାରର ଭିଟାମିନ୍ସ ଓ ମିନେରାଲ୍ସ ଭରି ରହିଥାଏ। ଶୀତଦିନେ ଏହାର ସେବନ ଶରୀରକୁ ଉଷ୍ଣତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଊର୍ଜ୍ଜା ବୃଦ୍ଧି କରିଥାଏ। କେବଳ ଏତିକି ନୁହେଁ, ପେସ୍ତାବାଦାମ, ଅଖରୋଟ ପରି ନଟ୍ସ, ଅଦା, ହଳଦୀ, ଡାଳିମ୍ବ, ରସୁଣ, ମେଥିପତ୍ର, ବାଜରା ଆଦି ଖାଦ୍ୟଦ୍ରବ୍ୟକୁ ଖାଇ ମଧ୍ୟ ଶୀତଦିନେ ନିଜ ଶରୀରକୁ ଉଷ୍ଣତା ପ୍ରଦାନ କରିହେବ।