Categories: ବାଣିଜ୍ୟ

ପୁଣି ବଢ଼ିପାରେ ଖାଦ୍ୟ ମୁଦ୍ରାସ୍ଫୀତି

ଭୁବନେଶ୍ୱର, ୨୪।୯: ସକ୍ରିୟ ମୌସୁମୀ ସାରା ଦେଶରେ ଖରିଫ ଚାଷକୁ ପୁନର୍ଜୀବିତ କରିଛି। ଏହାର ପ୍ରଭାବରେ ସାରା ଦେଶରେ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଚଳିତବର୍ଷ ଭଲ ଧାନ ଅମଳ ହେବ ବୋଲି ଆଶା କରାଯାଉଛି। ତେବେ ତୈଳବୀଜ ଓ ଡାଲି ଜାତୀୟ ଫସଲ ଏବେ ବି ପଛରେ ପଡିଥିବା ଜଣାପଡିଛି। ଚଳିତବର୍ଷ ୧୧୦୨ ଲକ୍ଷ ହେକ୍ଟର ଜମି(ଏଲ୍‌ଏଚ୍‌ଏ)ରେ ଖରିଫ ଚାଷ କରାଯାଇଛି। ସେହିପରି ପୂର୍ବବର୍ଷ ତୁଳନାରେ ୩ ଲକ୍ଷ ହେକ୍ଟର ଅଧିକ ଏବଂ ସ୍ବାଭାବିକଠାରୁ ୭ ଲକ୍ଷ ହେକ୍ଟର ଜମିରେ ଖରିଫ ଚାଷ କରାଯାଇଥିବା ଜଣାପଡ଼ିଛି। ସକ୍ରିୟ ମୌସୁମୀ ଯୋଗୁ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ପୂର୍ବ ବର୍ଷ ତୁଳନାରେ ଅଧିକ ୧୧ ଲକ୍ଷ ହେକ୍ଟର ଜମିରେ ଖରିଫ ଚାଷ କରାଯାଇଛି। ସେହିପରି ସକି୍ରିୟ ମୌସୁମୀ ଯୋଗୁ ସେପ୍ଟେମ୍ବରରେ ଏହି ରାଜ୍ୟଗୁଡ଼ିକରେ ଭଲ ବର୍ଷା ହୋଇଥିବା ଜଣାପଡ଼ିଛି। ଅପରପକ୍ଷେ କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଭଳି ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକରେ ସ୍ବାଭାବିକଠାରୁ କମ୍‌ ପରିମାଣର ବର୍ଷା ହୋଇଥିବାରୁ ଖରିଫ୍‌ ଚାଷ ପ୍ରଭାବିତ ହୋଇଛି। ସେହିପରି ହରଡ଼, ବିରି ଏବଂ ଅନ୍ୟାନ୍ୟ ଡାଲି ଜାତୀୟ ଫସଲ ମଧ୍ୟ ପୂର୍ବ ବର୍ଷ ଅପେକ୍ଷା କମ୍‌ ଜମିରେ ଚାଷ କରାଯାଇଛି। ଡାଲି ଜାତୀୟ ଶସ୍ୟ ଅମଳ ପ୍ରଭାବିତ ହୋଇଥିବାରୁ ଆଗାମୀ ଦିନରେ ଖାଦ୍ୟ ମୁଦ୍ରାସ୍ଫୀତି ପୁଣି ବଢ଼ିବାର ସମ୍ଭାବନା ରହିଛି। କାରଣ ଗତବର୍ଷ ଡାଲିଜାତୀୟ ଶସ୍ୟ କମ୍‌ ଅମଳ ହେବାରୁ ଏହାର ମୂଲ୍ୟ ବଢ଼ିବାରେ ଲାଗିଥିଲା। ଯଦି ତୈଳବୀଜ କଥା କୁହାଯିବ ତେବେ ଗତବର୍ଷ ୧୯୬.୦୮ ଲକ୍ଷ ହେକ୍ଟର ଜମିରେ ଏହି ଚାଷ କରାଯାଇଥିବାବେଳେ ଚଳିତ ବର୍ଷ ଏହା ୧୯୨.୯୧ ହେକ୍ଟର ଜମିକୁ ଖସି ଆସିଛି। ସୋୟାବିନ୍‌ ବ୍ୟତୀତ ଚିନାବାଦାମ, ସୂର୍ଯ୍ୟମୁଖୀ, ରାଶି ଭଳି ତୈଳବୀଜ ଫସଲ ମଧ୍ୟ ହ୍ରାସ ଘଟିଛି।

Share