Categories: ଜାତୀୟ

ଅସୁରକ୍ଷିତ ଖାଦ୍ୟ: ବର୍ଷକୁ ୪.୨ ଲକ୍ଷ ମୃତ୍ୟୁ

ନୂଆଦିଲ୍ଲୀ,୨୧ା୯: ବିଶ୍ୱରେ ଅସୁକ୍ଷିତ ଖାଦ୍ୟ ଖାଇ ପ୍ରତିବର୍ଷ ୬୦୦ ନିୟୁତ ଲୋକ ରୋଗଗ୍ରସ୍ତ ହେଉଥିବାବେଳେ ୪ ଲକ୍ଷ ୨୦ ହଜାର ପ୍ରାଣ ହରାଉଛନ୍ତି। ଅସୁରକ୍ଷିତ ଖାଦ୍ୟ ଉପରେ ଖାଦ୍ୟ ନିୟନ୍ତ୍ରକମାନଙ୍କ ଲଗାମ ରହୁନାହିଁ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଅଧନୋମ୍‌ ଘେବ୍ରେୟେସସ୍‌ ଶୁକ୍ରବାର ଏହି ଉଦ୍‌ବେଗଜନକ ବିଷୟ ପ୍ରକାଶ କରିଛନ୍ତି।
ଅନୁଷ୍ଠିତ ଦ୍ୱିତୀୟ ଗ୍ଲୋବାଲ ଫୁଡ୍‌ ରେଗୁଲେଟର୍ସ ସମିଟ୍‌କୁ ଏକ ଭିଡିଓ ମେସେଜ୍‌ରେ ସମ୍ବୋଧିତ କରି ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଘେବ୍ରେୟେସସ୍‌ କହିଛନ୍ତି, ଜଳବାୟୁ ପରିବର୍ତ୍ତନ, ଜନସଂଖ୍ୟା ବୃଦ୍ଧି, ନୂତନ କାରିଗରି, ବୈଶ୍ୱିକୀକରଣ ଓ ଶିଳ୍ପାୟନ ଯୋଗୁ ଆମ ଖାଦ୍ୟ ବ୍ୟବସ୍ଥା ଅନେକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଅସୁରକ୍ଷିତ ଖାଦ୍ୟ ଖାଇ ମୃତ୍ୟୁମୁଖରେ ପଡ଼ୁଥିବା ଲୋକଙ୍କ ମଧ୍ୟରୁ ୭୦% ୫ ବର୍ଷରୁ କମ୍‌ ବୟସର ଶିଶୁ। ଏହାର ମୁକାବିଲା କ୍ଷେତ୍ରରେ ଖାଦ୍ୟ ନିୟନ୍ତ୍ରକ ସମୁଦାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱର ୩ ନିୟୁତ ଲୋକ ପୁଷ୍ଟିକର ଖାଦ୍ୟ ଖାଇବାକୁ ପାଉ ନ ଥିବାରୁ ଏହାର ସମାଧାନ ଦିଗରେ ସମନ୍ବିତ ଉଦ୍ୟମର ଆବଶ୍ୟକତା ରହିଛି। ସ୍ବାସ୍ଥ୍ୟକର ଓ ସମସ୍ତଙ୍କ ପାଇଁ ଉପଲବ୍ଧ ହେବା ଭଳି ଖାଦ୍ୟ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି ସମନ୍ବୟର ଆବଶ୍ୟକ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା, ଖାଦ୍ୟ ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ପ୍ରମୁଖ ଉପସ୍ଥିତ ଥିଲେ।

Share