ଶ୍ରୀଲଙ୍କାରେ ମିଳୁନି ଖାଦ୍ୟ, ଔଷଧ

କଲମ୍ବୋ,୩୧।୩: ଦ୍ୱୀପଦେଶ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ କ୍ରମେ ଉତ୍କଟ ହେବାରେ ଲାଗିଛି। ଗାଡ଼ିରେ ତେଲ ପକାଇବା ପାଇଁ ଲୋକେ ଦିନ ସାରା ଧାଡ଼ିରେ ଛିଡ଼ାହୋଇ ମୂର୍ଚ୍ଛା ଯାଉଥିବାବେଳେ ରାତିରେ ବିଜୁଳି ରହୁ ନ ଥିବାରୁ ଅନ୍ଧାରରେ ରହିବାକୁ ପଡ଼ୁଛି। ଚଳିତ ମାସ ଆରମ୍ଭରୁ ଦିନକୁ ୭ ଘଣ୍ଟା ବିଦ୍ୟୁତ୍‌ କାଟ ହେଉଥିବାବେଳେ ବୁଧବାରଠାରୁ ଏହାକୁ ୧୦ ଘଣ୍ଟାକୁ ବୃଦ୍ଧି କରାଯାଇଛି। ଫଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢ଼ୁଛି। ଶ୍ରୀଲଙ୍କାରେ ବିଦେଶୀ ମୁଦ୍ରାର ଘୋର ଅଭାବ ଯୋଗୁ ସରକାର ତେଲ ସମେତ ଜୀବନ ରକ୍ଷାକାରୀ ଔଷଧ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ବିଦେଶରୁ ଆମଦାନି କରିପାରୁ ନାହାନ୍ତି। ଦେଶରେ ଔଷଧଠାରୁ ସିମେଣ୍ଟ ପର୍ଯ୍ୟନ୍ତ ଅଭାବ ଦେଖାଦେଇଛି। ଭୋର ସମୟରୁ ପେଟ୍ରୋଲ ପମ୍ପ୍‌ ଆଗରେ ଲମ୍ବା ଲାଇନ ଲାଗୁଛି। ଦରଦାମ୍‌ ବୃଦ୍ଧି ପାଇଁ ସରକାରଙ୍କ ପରିଚାଳନାଗତ ତ୍ରୁଟିକୁ ଲୋକେ ତୀବ୍ର ନିନ୍ଦା କରୁଛନ୍ତି।
ତେଲ ଅଭାବରୁ ଟ୍ରକ୍‌ଗୁଡ଼ିକ ବନ୍ଦରରୁ ଖାଦ୍ୟପଦାର୍ଥ ଓ ନିର୍ମାଣ ସାମଗ୍ରୀ ଅନ୍ୟ ସହରକୁ ପରିବହନ କରିପାରୁ ନାହାନ୍ତି। ସେହିପରି ପାର୍ବତ୍ୟାଞ୍ଚଳରୁ ଚା’ସଂଗ୍ରହ କରି ବନ୍ଦରକୁ ଅଣାଯାଇପାରୁ ନାହିଁ। ଶ୍ରମିକମାନଙ୍କୁ ନେବା ଆଣିବା କରୁଥିବା ବସ୍‌ଗୁଡ଼ିକ ଅଟକି ରହିଛି। କେତେକ ହସ୍ପିଟାଲ ନିୟମିତ ଅସ୍ତ୍ରୋପଚାର ବନ୍ଦ କରିଦେଇଥିବାବେଳେ କାଗଜ ଅଭାବରୁ ଚଳିତ ମାସରେ ହେବାକୁ ଥିବା ପିଲାଙ୍କ ପରୀକ୍ଷା ବନ୍ଦ ରହିଛି। ପୂର୍ବରୁ କେବେ ଏଭଳି ସ୍ଥିତି ଦେଖାଦେଇ ନ ଥିଲା ବୋଲି କଲମ୍ବୋରେ ୬୦ ବର୍ଷ ହେଲା ରହୁଥିବା ଜଣେ ଘରୋଇ କର୍ମଚାରୀ କହିଛନ୍ତି।

Share