ନିର୍ବାଚନ ପରେ ଖାଦ୍ୟ ସାମଗ୍ରୀ ଦର ବଢୁଛି

ଯାଜପୁର,୯ା୬(ହର୍ଷବର୍ଦ୍ଧନ ବେହେରା)ସାଧାରଣ ନିର୍ବାଚନ ପରେ ପରେ ଖାଉଟି ସାମଗ୍ରୀ ମୂଲ୍ୟ କ୍ରମଶଃ ବଢ଼ିବାରେ ଲାଗିଛି। ବିଶେଷକରି ଚାଉଳ ସମେତ ତେଲ, ଡାଲି, ଆଳୁ, ପିଆଜ, ଟମାଟୋ ଇତ୍ୟାଦିର ଦର ବୃଦ୍ଧି ଯୋଗୁ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀ ପରିବାରଙ୍କ ମୁଣ୍ଡରେ ଚଡ଼କ ପଡିଛି। ରାଜ୍ୟ ସରକାର ଡାଲି ଜାତୀୟ, ଆଳୁ, ପିଆଜ ସମେତ ପନିପରିବା ଉତ୍ପାଦନରେ ବିଫଳ ହୋଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସାଧାରଣରେ ମତପ୍ରକାଶ ପାଇଛି।
ଗତ କିଛି ବର୍ଷ ଧରି ଖାଉଟି ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧିର ବୋଝ ଗ୍ରାହକମାନେ ମୁଣ୍ଡେଇ ଆସୁଛନ୍ତି । ଦରଦାମ ବୃଦ୍ଧି ନିୟନ୍ତ୍ରଣ କ୍ଷେତ୍ରରେ ସଫଳତା ମିଳୁ ନ ଥିବାରୁ ସାଧାରଣ ଲୋକେ ନାହିଁ ନଥିବାର ସମସ୍ୟା ଭୋଗୁଛନ୍ତି। ଏହାର ଫାଇଦା ବ୍ୟବସାୟୀମାନଙ୍କୁ ବେଶ୍‌ ସୁହାଉଛି। ପର୍ବପର୍ବାଣୀ ସମୟରେ ସାମଗ୍ରୀ ମୂଲ୍ୟକୁ ସେମାନେ ମନଇଚ୍ଛା ବୃଦ୍ଧି କରୁଥିବା ଦେଖିବାକୁ ମିଳୁଛି। ସାଧାରଣତଃ ରାଜ୍ୟର ବଜାରଗୁଡ଼ିକ ବାହାର ରାଜ୍ୟ ଉପରେ ନିର୍ଭର କରୁଥିବାରୁ ସାମଗ୍ରୀ ମୂଲ୍ୟରେ ହ୍ରାସର କଳ୍ପନା କରାଯାଇପାରୁନାହିଁ। ବିଶେଷକରି ଆଳୁ ଓ ପିଆଜ ପାଇଁ ଯାଜପୁର ଜିଲାବାସୀ ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟ ଉପରେ ନିର୍ଭର କରିଥାନ୍ତି। କେତେକାଂଶରେ କଟକ ଓ ଭୁବନେଶ୍ୱର ଉପରେ ମଧ୍ୟ ବେପାରୀ ନିର୍ଭରଶୀଳ ହେଉଥିବାରୁ ଦରଦାମ ବୃଦ୍ଧି ଚିନ୍ତାର କାରଣ ହୋଇଛି। ବଜାରରୁ ମିଳିଥିବା ତଥ୍ୟ ଅନୁସାରେ ମୁଗ, ହରଡ ଓ ବୁଟ ଡାଲି ୧୦ ଟଙ୍କା, ତେଲ ୧୦ ଟଙ୍କା, ଚାଉଳ କେଜି ପ୍ରତି ୪ ଟଙ୍କା, ଆଳୁ ଓ ପିଆଜ ୫ ଟଙ୍କା ବୃଦ୍ଧି ପାଇଛି ା ଏହାବାଦ ଟମୋଟା ଦର ହଠାତ କିଲୋ ପ୍ରତି ୩୦ ଟଙ୍କାରୁ ୬୦ ଟଙ୍କାରେ ବୃଦ୍ଧି ପାଇଛି।
କୃଷି ସହିତ ଡାଲି, ଆଳୁ, ପିଆଜି ଆଦି ଜାତୀୟ ଫସଲ ଉପତ୍ାଦନରେ ସରକାର ସେତେଟା କାର୍ଯ୍ୟପନ୍ଥା ଗ୍ରହଣ କରି ପାରିନାହାନ୍ତି ା ଆବଶ୍ୟକ ପ୍ରୋସତ୍ାହନ ଅଭାବରୁ ଚାଷୀ ପୂର୍ବଭଳି ଆଉ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁନାହିଁ ବୋଲି ମତପ୍ରକାଶ ପାଇଛି। ରାଜ୍ୟରେ ବାର୍ଷିକ ପ୍ରାୟ ୧୦.୨୧ ଲକ୍ଷ ମେଟ୍ରିକଟନ (ଏମ୍‌ଟି) ଆଳୁର ଆବଶ୍ୟକତା ରହିଛି। କିନ୍ତୁ ଏହାର ମାତ୍ର ୨୦ପ୍ରତିଶତ ଆଳୁ ରାଜ୍ୟରେ ଉପତ୍ାଦନ ହୋଇପାରୁଛି। ସାରା ରାଜ୍ୟରେ ପ୍ରାୟ ୧୫ ହଜାର ହେକ୍ଟର ଜମିରେ ବାର୍ଷିକ ୨ରୁ ୨.୫ ଲକ୍ଷ ଏମ୍‌ଟି ଆଳୁ ଉପତ୍ାଦନ ହୋଇଥାଏ। ଏଭଳିସ୍ଥିତିରେ ଓଡ଼ିଶା ପଡ଼ୋଶୀ ରାଜ୍ୟ ଉପରେ ନିର୍ଭରଶୀଳ। ଅନ୍ୟପକ୍ଷେ ଆବଶ୍ୟକ ଶୀତଳଭଣ୍ଡାରର ଅଭାବ ଯୋଗୁ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ସଂରକ୍ଷିତ ରଖାଯାଇପାରୁନାହିଁ। ଫଳରେ ଦର ବଢ଼ିଚାଲିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Share