ସନ୍ଦେହଜନକ ଅବସ୍ଥାରେ ପଡ଼ିଛି କୁଢ଼କୁଢ଼ ଖାଦ୍ୟ ପଦାର୍ଥ

କୋରୁକୋଣ୍ଡା,୨ା୧୦(ଡି.ଏନ୍‌.ଏ.): ରବିବାର ସକାଳୁ ଚିତ୍ରକୋଣ୍ଡା ଏବଂ ବାଲିମେଳାକୁ ସଂଯୋଗ କରୁଥିବା ଘାଟି ରାସ୍ତାରେ ସନ୍ଦେହଜନକ ଅବସ୍ଥାରେ କୁଢ଼କୁଢ଼ ଖାଦ୍ୟ ପଦାର୍ଥ ପଡ଼ିଥିବା ଦେଖିବାକୁ ମିଳିଛି। କିଛି ଅଜଣା ବ୍ୟକ୍ତି ପେଟି ପେଟି ମୃଦୁ ପାନୀୟ, ଚକୋଲେଟ, ବିସ୍କୁଟ ଘାଟି ଅଞ୍ଚଳରେ ସ୍ଥାନେ ସ୍ଥାନେ ଫିଙ୍ଗିଥିବା ଦେଖିବାକୁ ମିଳିଛି।

ପ୍ରକାଶ ଥାଉକି ବିଗତ ଦିନଗୁଡ଼ିକରେ ଉକ୍ତ ରାସ୍ତାରେ ଅନେକ ମାଙ୍କଡ଼ ରାସ୍ତା ଉପରେ ବେପରୁଆ ଢଙ୍ଗରେ ଖାଦ୍ୟ ପକାଉଥିବା ବ୍ୟକ୍ତିଙ୍କ କାରଣରୁ ଅନେକ ଦୁର୍ଘଟଣା ଘଟିଛି। ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ଏଥିରେ ରୋକ ଲଗାଇବା ନିମନ୍ତେ ଜଙ୍ଗଲର ସ୍ଥାନେ ସ୍ଥାନେ ବନ୍ୟ ଜନ୍ତୁଙ୍କୁ ଖାଦ୍ୟ ପଦାର୍ଥ ବେପରୁଆ ଢଙ୍ଗରେ ନ ଦେବା ପାଇଁ ବୋର୍ଡ଼ ମଧ୍ୟ ଲାଗିଛି। କିନ୍ତୁ ତାହା କେବଳ ଲେଖାରେ ସୀମିତ ରହିଛି ଯାହା ଆଜିର ଘଟଣାରୁ ସ୍ପଷ୍ଟ ବାରି ହେଉଛି।

ଏଭଳି ଏକ ସମ୍ବେଦନଶୀଳ ଘଟଣା ନେଇ ବନ ବିଭାଗର ଦୃଷ୍ଟି ଆକର୍ଷଣ କରିବା ପରେ ବନ ବିଭାଗ ପକ୍ଷରୁ ଏକ ଟିମ୍‌ ଉକ୍ତ ଖାଦ୍ୟ ପଦାର୍ଥଗୁଡିକ ସଂଗ୍ରହ କରି ନିଆଯାଇଛି। ଉଭୟ ଚିତ୍ରକୋଣ୍ଡା ଏବଂ ବାଲିମେଳା ବନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ କିଛି ମାତ୍ରାରେ ଖାଦ୍ୟ ପଦାର୍ଥ ଉକ୍ତ ସ୍ଥାନରେ ହିଁ ପୋଡ଼ି ନଷ୍ଟ କରି ଦିଆଯାଇଥିବା ବେଳେ ଆଉ କିଛି ଖାଦ୍ୟ ପଦାର୍ଥ ଉପଯୁକ୍ତ ସ୍ଥାନରେ ପକାଇବା ପାଇଁ ବାଲିମେଳା ବନ ବିଭାଗ ସଂଗ୍ରହ କରି ନେଇ ଆସିଛି। ଅବଶିଷ୍ଟ ଖାଦ୍ୟ ପଦାର୍ଥର ଉପଯୁକ୍ତ ପରୀକ୍ଷଣ କରିବା ପରେ ଉକ୍ତ ଖାଦ୍ୟ ପଦାର୍ଥକୁ ନଷ୍ଟ କରିବା କ୍ଷେତ୍ରରେ ବନ ବିଭାଗର ଏକ ବିଶେଷ ଭୂମିକା ରହୁଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Share