୪ ଜିଲାରେ ମିଳୁନି ପିଡିଏସ୍‌ ଗହମ, ରାଶନ ପାଇବାରୁ ବଞ୍ଚିତ ଅନ୍ୟ ଜିଲା

ଭୁବନେଶ୍ୱର,୧୧ା୫(ବ୍ୟୁରୋ)-ରାଜ୍ୟର ୪ ଜିଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଗହମ ମିଳୁନାହିଁ। ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ଜଟଣୀ ଗୋଦାମରୁ ଗତ ୪ ମାସ ହେବ ଗହମ ଉଠିପାରୁ ନାହିଁ। ଫଳରେ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ କଟକର କିଛି ଅଞ୍ଚଳକୁ ଗହମ ଯୋଗାଇ ଦିଆଯାଇପାରୁ ନାହିଁ। ସ୍ଥାନୀୟ ଟ୍ରକ୍‌ ମାଲିକମାନେ ଅନ୍ୟ ଟ୍ରକ୍‌ ଦ୍ୱାରା ମାଲ ପରିବହନକୁ ବିରୋଧ କରୁଥିବାରୁ ଏଭଳି ସମସ୍ୟା ଉପୁଜିଛି। ଏଣୁ ଏସବୁ ଜିଲାରେ ପିଡିଏସ୍‌ କାର୍ଡଧାରୀଙ୍କୁ କେବଳ ଚାଉଳ ଯୋଗାଇ ଦିଆଯାଉଛି। ଓ୍ବାନ ନେଶନ ଓ୍ବାନ ରାଶନରେ ଅନ୍ୟ ଜିଲାର ହିତାଧିକାରୀ ଏହି ଜିଲାଗୁଡ଼ିକରୁ ରାଶନ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବୁଧବାର କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି। ସମସ୍ୟାର ସମାଧାନ ପାଇଁ ଜଟଣୀ ପରିବର୍ତ୍ତେ ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲା ପାଇଁ ଜଗତପୁରସ୍ଥିତ ଗୋଦାମକୁ ଗହମ ଯୋଗାଇ ଦେବାକୁ ସେ ଚିଠିରେ ଉଲ୍ଲେଖ କରିଥିବା ଜଣାପଡ଼ିଛି।

Share