Advertisement

ଆଦିବାସୀ ବହୁଳ ଗାଁରେ ପହଞ୍ଚି ଶାଗ ପଖାଳ ଖାଇଲେ ୫ ଶିକ୍ଷାନବୀଶ

ସୋରଡ଼ା,୧୬ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକକୁ ଆସିଥିବା ୫ ଶିକ୍ଷାନବୀଶ ବୁଧବାର ଆଦିବାସୀ ବହୁଳ ଗୋଛା ପଞ୍ଚାୟତରେ ପହଞ୍ଚି ବାଲାପଙ୍କା ଗ୍ରାମକୁ ଯାଇ ଅଙ୍ଗନଓ୍ବାଡ଼ି କେନ୍ଦ୍ର ବୁଲିବା ସହ କେନ୍ଦ୍ର ପରିଚାଳକ କୁସୁମ ପଟ୍ଟନାୟକଙ୍କ ସହ ଶିଶୁ ବିକାଶ କାର୍ଯ୍ୟକ୍ରମ ଉପରେ ପଚାରି ବୁଝିଥିଲେ। ଛୋଟ ଶିଶୁମାନଙ୍କ ସହ ନାଚ ଗୀତ କରି ଖୁସି କରାଇଥିଲେ। ଗୋଛାରେ ପହଞ୍ଚି ରାଶନ ବଣ୍ଟନ,ଭତ୍ତା ବଣ୍ଟନ,ସହ ଗ୍ରାମସଭାରେ ଯୋଗଦେଇଥିଲେ। ସେଠାକାର ଆଦର୍ଶ ଗାଈ ଗୁହାଳ,ବାଇଗଣ ଚାଷ,ମିଶନ ଶକ୍ତି ବ୍ୟବସ୍ଥା ବୁଲି ଦେଖିଥିଲେ। ପରେ ଗ୍ରାମର ଜନସାଧାରଣଙ୍କ ସହ ଭାବ ବିନିମୟ କରିଥିଲେ। ଆଦିବାସୀ ପରିବାରଙ୍କ ଘରେ ସମ୍ପୂର୍ଣ୍ଣ ଓଡ଼ିଆ ଖାଦ୍ୟ ବ୍ୟବସ୍ଥା କରଯାଇଥିଲା। କଂସାରେ ପଖାଳ ସହ ବଡ଼ି ଚୂରା, ଶାଗ, ଭେଣ୍ଡି ଭଜା, ବାଇଗଣ ଭରତା,ଆଚାର,ସାରୁ, କଦଳୀ ଭଜା ଖାଇଥିଲେ। ଆଦିବାସୀମାନେ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। ସନ୍ଧ୍ୟାରେ ସମସ୍ତେ ସୋରଡ଼ା ବ୍ଲକରୁ ଫେରିଛନ୍ତି। ସରପଞ୍ଚ ତ୍ରିଲୋଚନ ସାହୁ, ଜିଲାପରିଷଦ ରାଜେଶ କୁମାର ସାହୁଙ୍କ ପରିଚାଳନାରେ ସମସ୍ତ ଶିକ୍ଷାନବୀଶ ସେଠାକାର ବିଭିନ୍ନ ଯୋଜନା ରୂପାୟନ ବୁଲି ଦେଖିଥିଲେ। ବିଡିଓ ସୀମାଞ୍ଚଳ ମଣ୍ଡଳ,ଗଣ୍ଠିଳ ଅଧିକାରୀ ସଂଜୀବ ରାଜ ସେନାପତି ଉପସ୍ଥିତ ରହି ସଂଯୋଜନା କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share