ଫୁଟ୍‌ବଲ ବେଟିଂ ଆପ୍‌ ଠକେଇ ମାମଲା : ଦୁବାଇ ମାଷ୍ଟରମାଇଣ୍ଡ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର

ଭୁବନେଶ୍ୱର,୧୦।୩(ବ୍ୟୁରୋ): ଫୁଟବଲ୍‌ ବେଟିଂ/ଗେମିଙ୍ଗ୍‌ ଆପ୍‌ (18football.com)ରେ ଦେଶବ୍ୟାପୀ ୧ହଜାର କୋଟିରୁ ଊର୍ଦ୍ଧ୍ୱ ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅଧିକ ତଦନ୍ତ ଜାରି ରଖିଛି। ଏହି ମାମଲାରେ ମାଷ୍ଟରମାଇଣ୍ଡଙ୍କ ୨ ସହଯୋଗୀଙ୍କୁ ଇଓଡବ୍ଲ୍ୟୁ ୨ ସପ୍ତାହ ତଳେ ପଶ୍ଚିମବଙ୍ଗରୁ ଗିରଫ କରିଥିବାବେଳେ ସେମାନେ ଏବେ ଜେଲରେ ଅଛନ୍ତି। ଏଥିରେ ସମ୍ପୃକ୍ତ ଏକାଧିକ ମାଷ୍ଟରମାଇଣ୍ଡଙ୍କ ମଧ୍ୟରୁ ଦୁବାଇରେ ରହି ର଼୍ୟାକେଟ୍‌ ଚଳାଉଥିବା ଜଣଙ୍କୁ ଇଓଡବ୍ଲ୍ୟୁ ଚିହ୍ନଟ କରିଛି। ସେ ହେଲେ ବିହାର ପଶ୍ଚିମ ଚମ୍ପାରନ୍‌ ଜିଲାର ମହମ୍ମଦ ସୈଫ୍‌। ଇଓଡବ୍ଲ୍ୟୁର ଅନୁରୋଧକ୍ରମେ କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍‌ ଇମିଗ୍ରେଶନ୍‌ (ବିଓଆଇ) ତାଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରିକରି ଦେଶର ସମସ୍ତ ଏୟାରପୋର୍ଟ ଓ ସି ବିଚ୍‌ ସମେତ ଅନ୍ୟାନ୍ୟ ଚେକ୍‌ ପୋଷ୍ଟରେ ଆଲର୍ଟ କରିଛି। ଏଥିସହ ଅଭିଯୁକ୍ତ ମନୋଜଙ୍କ ଉପରେ ନଜର ରଖିବାକୁ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଓ ପୋଲିସ ସହ ମଧ୍ୟ ଯୋଗାଯୋଗ କରାଯାଉଛି। ଅନ୍ୟପକ୍ଷରେ ଅଭିଯୁକ୍ତ ସୈଫ୍‌ଙ୍କ ବିଷୟରେ ସୂଚନା ଦେବାକୁ ଇଓଡବ୍ଲ୍ୟୁ ଏକ ମୋବାଇଲ ନଂ. ୮୨୪୯୬୦୦୪୯୫ ଜାରି କରିବା ସହ ପୁରସ୍କାର ଘୋଷଣା କରିଛି। ସୂଚନାଦାତାଙ୍କ ପରିଚୟ ଗୋପନ ରଖାଯିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଚାଇନା ହଂକଂରେ ଥିବା ର଼୍ୟାକେଟର ମୁଖ୍ୟ ମାଷ୍ଟରମାଇଣ୍ଡଙ୍କୁ ଚିହ୍ନଟ କରିବାକୁ ଇଓଡବ୍ଲ୍ୟୁ ପ୍ରୟାସ ଜାରି ରଖିଥିବା ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ର଼୍ୟାକେଟ୍‌ର ଏଜେଣ୍ଟମାନେ ଭାରତ, ଚାଇନା, ଦୁବାଇ ସମେତ ବିଭିନ୍ନ ଦେଶରେ ରହି ଠକେଇ କରନ୍ତି। ସେମାନେ ପ୍ରାୟତଃ ଯୁବକମାନଙ୍କୁ ଟାର୍ଗେଟ କରିବା ସହ କମ୍‌ ସମୟରେ ଅଧିକ ଟଙ୍କା ରୋଜଗାର କରିବାର ଲୋଭ ଦେଖାଇ ଜାଲରେ ଫସାଇଥାନ୍ତି। 18football.com ଆପ୍‌ର ଲିଙ୍କ୍‌କୁ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ ମାଧ୍ୟମରେ ସେମାନେ ଲୋକଙ୍କୁ ପଠାଇବା ପରେ ଏକ ଆକାଉଣ୍ଟ ଖୋଲିବାକୁ କହିଥାନ୍ତି। ପରେ ଉକ୍ତ ଆପ୍‌ରେ ହେଉଥିବା ଫୁଟ୍‌ବଲ୍‌ ମ୍ୟାଚ୍‌ରେ ଟଙ୍କା ଜମା କରିବାକୁ କୁହାଯାଇଥାଏ। ଆପ୍‌ ଦ୍ୱାରା ଟଙ୍କା ନିବେଶ କରିବା ପରେ ଦିନକୁ ୩ ଶତକଡ଼ା ରିଟର୍ନ ସହ ବିଭିନ୍ନ ବୋନସ୍‌ ଆଦି ମିଳିବାର ଲୋଭ ଦେଖାଯାଇଥାଏ। ପୁଣି ରେଫରାଲ୍‌ ବୋନସ୍‌ ପାଇବା ପାଇଁ ଅନ୍ୟ ଲୋକଙ୍କୁ ମଧ୍ୟ ଏଥିରେ ସାମିଲ କରିବାକୁ କୁହାଯାଇଥାଏ। ଏଭଳି ଭାବରେ ୨୦୨୧ରେ ଗଞ୍ଜାମର ୮୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଠକେଇର ଶିକାର ହୋଇ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହରାଇଥିଲେ। ଏନେଇ ଅଭିଯୋଗକ୍ରମେ ଇଓଡବ୍ଲ୍ୟୁ ଗତ ଫେବୃୟାରୀ ୧୭ରେ ମାମଲା (ନଂ.୬/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Share