Categories: ଖେଳ

ଫୁଟ୍‌ବଲ କିମ୍ବଦନ୍ତୀ ଜାଗାଲୋଙ୍କ ଦେହାନ୍ତ

ରିଓ ଡି’ ଜେନିରୋ, ୭ା୧(ଏପି): ବ୍ରାଜିଲର ପୂର୍ବତନ ଫୁଟ୍‌ବଲ ଖେଳାଳି ତଥା କୋଚ୍‌ ମାରିଓ ଜାଗାଲୋଙ୍କ ପରଲୋକ ଘଟିଛି। ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା। ଜଣେ ଖେଳାଳି ହିସାବରେ ସେ ଦୁଇଥର ବିଶ୍ୱକପ୍‌ ଜିତିଥିବା ବେଳେ ବ୍ରାଜିଲର କୋଚ୍‌ ଭାବେ ଥରେ ଏବଂ ସହକାରୀ କୋଚ୍‌ ଭାବେ ଆଉ ଥରେ ବିଶ୍ୱକପ୍‌ ଜିତିଛନ୍ତି। ସେ ଜଣେ ଖେଳାଳି ଓ କୋଚ୍‌ ହିସାବରେ ବିଶ୍ୱକପ୍‌ ଜିତିବାରେ ହେଉଛନ୍ତି ପ୍ରଥମ ବ୍ୟକ୍ତି। ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇ ନାହିଁ। ବ୍ରାଜିଲ ଫୁଟ୍‌ବଲ ଇତିହାସରେ ଜାଗାଲୋଙ୍କୁ ଏକ ପ୍ରମୁଖ ଚରିତ୍ର ବିବେଚନା କରାଯାଏ। ୧୯୫୮ରେ ପ୍ରଥମ ବିଶ୍ୱକପ୍‌ ଟାଇଟଲଠାରୁ ଆରମ୍ଭ କରି ୨୦୧୪ରେ ଟୁର୍ନାମେଣ୍ଟର ଆୟୋଜନ ପର୍ଯ୍ୟନ୍ତ ସେ ବ୍ରାଜିଲ ଫୁଟ୍‌ବଲ ସହିତ ଅଙ୍ଗାଙ୍ଗି ଭାବେ ସମ୍ପୃକ୍ତ ଥିଲେ। ୨୦୧୮ ଏବଂ ୨୦୨୨ ବିଶ୍ୱକପ୍‌ ପାଇଁ ଦଳକୁ ନେଇ ଯିବା ପୂର୍ବରୁ କୋଚ୍‌ ଟିଟେ ତାଙ୍କଠାରୁ ପରାମର୍ଶ ନେଇଥିଲେ। ୧୯୫୮ରେ ସୁଇଡେନରେ ଏବଂ ୧୯୬୨ରେ ଚିଲିରେ ବିଶ୍ୱକପ୍‌ ଜିତିଥିବା ବ୍ରାଜିଲ ଦଳର ସେ ଫରଓ୍ବାର୍ଡ ଖେଳାଳି ଥିଲେ। ମିଡ୍‌ଫିଲ୍ଡର ଏବଂ ଷ୍ଟ୍ରାଇକର ମଧ୍ୟରେ ଫଲ୍ସ ଓ୍ବିଙ୍ଗର ଭାବେ ଖେଳିପାରୁଥିବା ସେ ଜଣେ ଅନ୍ୟତମ ଖେଳାଳି। ୧୯୬୫ରେ ଜାଗାଲୋ ପ୍ରଫେସନାଲ ଖେଳିବା ଛାଡ଼ି ଦେଇଥିଲେ। ଏହାର ବର୍ଷକ ପରେ ସେ ରିଓ ଡି ଜେନିରୋ କ୍ଲବ ବୋଟାଫୋଗୋ ସହିତ ତାଙ୍କ କୋଚିଂ କ୍ୟାରିୟର ଆରମ୍ଭ କରିଥିଲେ। ମେକ୍ସିକୋ ବିଶ୍ୱକପ୍‌ ପୂର୍ବରୁ ତାଙ୍କୁ ୧୯୭୦ରେ ଜାତୀୟ ଦଳର କୋଚ୍‌ ମନୋନୀତ କରାଯାଇଥିଲା। ଏହି ଦଳରେ ପେଲେ, ଜୈରଜିନ୍‌ହୋ, ଜେର୍ସନ, ରବର୍ଟ ରିଭେଲିନୋ ଓ ଟୋଷ୍ଟାଓଙ୍କ ଭଳି ଦକ୍ଷ ଖେଳାଳି ରହିଥିଲେ। ଫାଇନାଲରେ ଇଟାଲିକୁ ୪-୧ ଗୋଲ୍‌ରେ ପରାସ୍ତ କରି ୩ଥର ବିଶ୍ୱକପ୍‌ ଜିତିବାରେ ବ୍ରାଜିଲ ପ୍ରଥମ ଦଳ ବିବେଚିତ ହୋଇଥିଲା। ସେ ୧୯୭୪ରେ ମଧ୍ୟ ବ୍ରାଜିଲ ଦଳର କୋଚ୍‌ ରହିଥିଲେ। ସେ ଥର ପେଲେଙ୍କ ଅନୁପସ୍ଥିତିରେ ବ୍ରାଜିଲ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଜାଗାଲୋ ପରେ କାର୍ଲୋସ ଅଲବର୍ଟୋ ପେରିରାଙ୍କ ସହକାରୀ କୋଚ୍‌ ଭାବେ କାର୍ଯ୍ୟ କରୁଥିବା ବେଳେ ବ୍ରାଜିଲ ୧୯୯୪ରେ ଇଟାଲିକୁ ଫାଇନାଲରେ ପରାସ୍ତ କରି ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ବିଶ୍ୱକପ୍‌ ଜିତିଥିଲା।

Share