Categories: ଖେଳ

ଫୁଟବଲପ୍ରେମୀଙ୍କ ବିଜୟ: ଅନୁରାଗ

ଜୁରିକ୍‌/ନୂଆଦିଲ୍ଲୀ,୨୮ା୮:ଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍‌ଏଫ) ଉପରୁ ଫିଫାର ବାସନ୍ଦାଦେଶ ଉଠିବାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର। ଏହା ଫୁଟବଲ ଫ୍ୟାନ୍‌ମାନଙ୍କର ବିଜୟ ବୋଲି ଠାକୁର ଅଭିହିତ କରିଛନ୍ତି। ତୃତୀୟ ପକ୍ଷ ହସ୍ତକ୍ଷେପ ଅଭିଯୋଗ କରି ଫିଫା ପକ୍ଷରୁ ଅଗଷ୍ଟ ୧୫ ତାରିଖରେ ଭାରତକୁ ନିଲମ୍ବନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଫିଫା ସହିତ ଆଲୋଚନା କରାଯାଇଥିବା ବେଳେ ସୁପ୍ରିମକୋର୍ଟ କମିଟି ଅଫ୍‌ ଆଡମିନିଷ୍ଟ୍ରେଶନ୍‌(ସିଓଏ)ର ଉଚ୍ଛେଦ କରିଥିଲେ। ଫିଫା ବାସନ୍ଦାଦେଶ ହଟିବା ପରେ ଭାରତରେ ୧୭ ବର୍ଷ କମ ମହିଳା ବିଶ୍ୱକପ ଆୟୋଜନ ହେବାର ପଥ ପରିଷ୍କାର ହୋଇଛି। ଆସନ୍ତା ଅକ୍ଟୋବର ୧୧-୩୦ ମଧ୍ୟରେ ଭାରତରେ ଫୁଟବଲ ବିଶ୍ୱକପ ଆୟୋଜନ ହେବ। ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଏଆଇଏଫ୍‌ଏଫ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ବାଇଚୁଙ୍ଗ ଭୂତିଆ ଓ କଲ୍ୟାଣ ଚୌବେ ଏହି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଫିଫାର ବାସନ୍ଦାଦେଶ ପରେ ଭାରତରେ ବିଶ୍ୱକପ ଆୟୋଜନ ଉପରେ ସଙ୍କଟର କଳାବାଦଲ ଛାଇ ଯାଇଥିଲା। ମାତ୍ର ସିଓଏ ଏବଂ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଫିଫା ସହିତ ଆଲୋଚନା ପରେ ବିଶ୍ୱକପ ଆୟୋଜନ ସ୍ପଷ୍ଟ ହୋଇଯାଇଛି। ସିଓଏ ଉଚ୍ଛେଦ ହୋଇଥିବା ନେଇ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଫିଫାକୁ ସ୍ପଷ୍ଟୀକରଣ ଦିଆଯିବା ପରେ ଭାରତକୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି। ଏସିଆନ ଫୁଟବଲ ସଂଘ(ଏଏଫ୍‌ସି) ପକ୍ଷରୁ ଏଆଇଏଫ୍‌ଏଫ୍‌ ନିର୍ବାଚନକୁ ମନିଟର କରାଯିବା ସହିତ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ପ୍ରଦାନ କରାଯିବା ନେଇ ଫିଫା ସ୍ପଷ୍ଟ କରିଛି। ଏହା ସହିତ ଏଆଇଏଫ୍‌ଏଫ୍‌ର ଦୈନନ୍ଦିନ କାର୍ଯ୍ୟକୁ ଏଆଇଏଫ୍‌ଏଫ୍‌ କାର୍ଯ୍ୟକାରୀ ସାଧାରଣ ସମ୍ପାଦକ ସୁନନ୍ଦୋ ଧର ପରିଚାଳନା କରିବେ।

ଫିଫାର ଏହି ନିଷ୍ପତ୍ତିକୁ ପୂର୍ବତନ ଫୁଟବଲ ଦଳ ଅଧିନାୟକ ବାଇଚୁଙ୍ଗ ଭୂତିଆ ସ୍ବାଗତ କରିଛନ୍ତି। ଏହାବ୍ୟତୀତ ପୂର୍ବତନ ମିଡ୍‌ଫିଲ୍ଡର ରେନେଡି ସିଂ ଓ ପୂର୍ବତନ କ୍ରୀଡାମନ୍ତ୍ରୀ କିରେନ ରିଜିଜୁ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଅନ୍ୟପକ୍ଷରେ ଫିଫା ବାସନ୍ଦାଦେଶକୁ ନେଇ ଗୋକୁଳମ କେରଳ କ୍ଷତି ସହିଛି ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଷ୍ଟ୍ରାଇକର ସବିର ଅଲୀ। ଭାରତୀୟ ଫୁଟବଲ ଇତିହାସରେ ଏହି ୧୧ ଦିନ ବ୍ୟାପୀ କଳାଦିବସର ଅବସାନ ଘଟିଥିବା ବେଳେ ଫିଫାର ଦାବିକୁ ଭାରତ ମାନି ନେଇଛି। ଏଆଇଏଫ୍‌ଏଫ୍‌ ନିର୍ବାଚନ ଆଗୁଆ କରିଥିଲେ ଏଭଳି ପରସ୍ଥିତିର ସାମ୍ନା କରିବାକୁ ପଡିନଥାନ୍ତା। ଗୋକୁଳମ୍‌ କେରଳର ଖେଳାଳିମାନେ ତାସକେଣ୍ଟରେ ଦୀର୍ଘ ଏକ ସପ୍ତାହ ଧରି ଅଟକି ରହିଥିଲେ। ଏଭଳି ପରିସ୍ଥିତିର ସାମ୍ନା କରିଥିବା ଦଳକୁ ଏଆଇଏଫ୍‌ଏଫ୍‌ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯିବା ଆବଶ୍ୟକ ବୋଲି ସବିର ମତ ଦେଇଛନ୍ତି।

Share