ଲଗାତାର ୧୩ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ…

ନୂଆଦିଲ୍ଲୀ, ୨୩।୧୨: ଦେଶରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୧୩ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ୭ ହଜାର ୪୯୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୪୩୪ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସେହିପରି ୬ ହଜାର ୯୬୦ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୪୦ ପ୍ରତିଶତ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା ୭୮ ହଜାର ୨୯୧ ରହିଛି। ସାପ୍ତାହିକ ପଜିଟିଭ୍‌ ହାର ୦.୭୧ ପ୍ରତିଶତରୁ କମ୍‌ ରହିଛି। ଦୈନିକ ପଜିଟିଭିଟି ହାର ୦.୬୪ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୨୨ ପ୍ରତିଶତରେ ପହଞ୍ଚିଛି।

ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୭୮ ହଜାର ୭୫୯ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୮ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୧୩୯ କୋଟି ୬୯ ଲକ୍ଷ ୭୬ ହଜାର ୭୭୪ ଜଣଙ୍କୁ ଟିକାଦାନ ସରିଛି।

ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୨ ଲକ୍ଷ ୮ ହଜାର ୯୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share