୪୦ ବର୍ଷ ହେଲା ପଶ୍ଚିମବଙ୍ଗର ଗୌରବ ନଷ୍ଟ ହେଉଛି: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଗତ ୪୦ ବର୍ଷ ଧରି ପଶ୍ଚିମବଙ୍ଗର ଗୌରବ ନଷ୍ଟ ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରବିବାର କୋଲକାତାଠାରେ ବିଶିଷ୍ଟ ଉଦ୍ୟୋଗୀଙ୍କ ସହ ରାଜ୍ୟର ଶିଳ୍ପାୟନର ବିକାଶ ଏବଂ ଆର୍ଥତ୍କ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରିବା ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ଅତୀତରେ ପଶ୍ଚିମବଙ୍ଗ ଲବ୍ଧ ପ୍ରତିଷ୍ଠିତ ଥିଲା। ଦେଶର ଆବଶ୍ୟକତା ସମୟରେ ମାର୍ଗ ଦେଖାଉଥିଲା। କିନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଗତ ୪୦ ବର୍ଷ ଧରି ପଶ୍ଚିମବଙ୍ଗର ଗୌରବ ସଙ୍କୁଚିତ ହୋଇଯାଇଛି। ତେବେ ପଶ୍ଚିମବଙ୍ଗର ଗୌରବ କ୍ଷୁଣ୍ଣ କରିଥିବା, ଶିଳ୍ପାୟନର ବିକାଶ କରି ନ ଥିବା ଏବଂ ଏଠାରେ ହିଂସା ଘଟାଉଥିବା ଲୋକଙ୍କୁ ସ୍ଥାନୀୟ ନାଗରିକ ଚଳିତ ନିର୍ବାଚନରେ ଭୋଟ ମାଧ୍ୟମରେ ଜବାବ ଦେବେ। ପଶ୍ଚିମବଙ୍ଗ ନିର୍ବାଚନ କେବଳ ନିର୍ବାଚନ ନୁହେଁ ବରଂ ରାଜ୍ୟରେ ନୂଆ ଯୁଗ ପାଇଁ ଧର୍ମଯୁଦ୍ଧ। କେବଳ ପଶ୍ଚିମବଙ୍ଗ ପାଇଁ ନୁହେଁ ବରଂ ସମଗ୍ର ଦେଶ ଲାଗି କେଉଁଟି ଠିକ୍‌ ତାହା ସ୍ଥିର କରିବାକୁ ଏଠାର ଜନସାଧାରଣଙ୍କ ହାତରେ ଦାୟିତ୍ୱ ନ୍ୟସ୍ତ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ର କଳ୍ପନା ରଖିଥିବା ବେଳେ ପୂର୍ବ ଏବଂ ଉତ୍ତର ପୂର୍ବାଞ୍ଚଳର ବିକାଶ କରିବା ଏହି ମିଶନର ଲକ୍ଷ୍ୟ ରହିଛି। ଏହି ଲକ୍ଷ୍ୟରେ ପଶ୍ଚିମବଙ୍ଗରେ ସବ୍‌କା ସାଥ୍‌, ସବ୍‌କା ବିକାଶ ଏବଂ ସବ୍‌କା ବିଶ୍ୱାସ ମନ୍ତ୍ରରେ ଏମ୍‌ଏସ୍‌ଏମ୍‌ଇ ଶିଳ୍ପର ବୃଦ୍ଧି, ପୁଞ୍ଜିନିବେଶ ପାଇଁ ଏକ ଇକୋସିଷ୍ଟମ ତିଆରି କରିବା, ଭିତ୍ତିଭୂମି, ନିଯୁକ୍ତି, ସ୍ବାସ୍ଥ୍ୟ, ମହିଳା ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବା ନେଇ ସେ ଚର୍ଚ୍ଚା କରିଛନ୍ତି।

Share