ସୁସ୍ଥ ହୃତ୍‌ପିଣ୍ଡ ପାଇଁ…

ଆଜିର ସମୟରେ ଚିନ୍ତାଜନକ ହେଉଛି ହୃଦ୍‌ରୋଗ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ପ୍ରତି ବର୍ଷ ପାଖାପାଖି ୧କୋଟି ୭୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ଅସ୍ବାଭାବିକ ହୃଦ୍‌ରୋଗରେ ମୃତ୍ୟୁ ଘଟୁଛି; ଯାହାର ବଡ଼ କାରଣ ଶାରୀରିକ ପରିଶ୍ରମର ଅଭାବ, ଧୂମ ଓ ନିଶା ସେବନ, ମାନସିକ ଚାପ, ଖାଦ୍ୟପେୟ ଓ ବିଶ୍ରାମର ଅନିୟମିତତା। ବର୍ତ୍ତମାନ ସମୟରେ ଅଧିକାଂଶ ଯୁବବର୍ଗ ହୃଦ୍‌ରୋଗର ଶିକାର ହେଉଛନ୍ତି।
ଅନ୍ତତଃ ପକ୍ଷେ ମାସକୁ ଥରେ ଉପବାସ ରହିବା ଦ୍ୱାରା ହୃଦ୍‌ଘାତ ଆଶଙ୍କା ହ୍ରାସ ପାଏ। ଅଲିଭ ତେଲ ହୃତ୍‌ପିଣ୍ଡଜନିତ ସମସ୍ୟା ହ୍ରାସ କରିପାରେ। ହଳଦୀରେ ଥିବା କୁର୍ଜମିନ ନାମକ ଔଷଧୀୟ ପଦାର୍ଥ ହୃଦ୍‌ରୋଗରୁ ରକ୍ଷା କରିଥାଏ। ବର୍ଷକୁ ଅନ୍ତତଃ ଦୁଇଥର ରକ୍ତଦାନ ଦ୍ୱାରା ହୃଦ୍‌ରୋଗର ଆଶଙ୍କାକୁ କମ୍‌ କରିହେବ। ଚାପମୁକ୍ତ ସନ୍ତୁଳିତ ଜୀବନଶୈଳୀ ଅନୁସରଣ କରନ୍ତୁ। ନିଶାଦ୍ରବ୍ୟ ସେବନଠାରୁ ଦୂରେଇ ରୁହନ୍ତୁ। ଦୈନିକ ଅତି କମ୍‌ରେ ଅଧଘଣ୍ଟା ବ୍ୟାୟାମ କରନ୍ତୁ। ହୃଦ୍‌ରୋଗ ପାଇଁ ଓଜନ ବୃଦ୍ଧି ବା ମେଦ ବହୁଳତା ୩୨ ଭାଗ ଦାୟୀ। ତେଣୁ ଶରୀରର ଗଢ଼ଣ ଓ ବୟସ ଅନୁସାରେ ଓଜନ କେତେ ରହିବା ଆବଶ୍ୟକ, ତାହା ଜାଣନ୍ତୁ। ଆବଶ୍ୟକତାଠାରୁ ଅଧିକ ଓଜନ ଥିଲେ, ତାହାକୁ କିପରି ସନ୍ତୁଳିତ ସ୍ତରକୁ ଆଣିହେବ; ସେଥିନେଇ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ୩୦ରୁ ୫୦ ବର୍ଷ ଭିତରେ ଓଜନ ବଢ଼ିବାର ଆଶଙ୍କା ଅଧିକ। ଓଜନ ବୃଦ୍ଧି ହୃଦ୍‌ରୋଗ ସହ ବହୁ ରୋଗକୁ ଜନ୍ମ ଦେଇପାରେ। ତେଣୁ କୋଲେଷ୍ଟରଲ୍‌ ଯୁକ୍ତ ଖାଦ୍ୟ ସହ ଆଳୁ, ଭାତ ଆଦି କମ୍‌ ଖାଇବା ଆବଶ୍ୟକ। ଫଳ, ଗଜାମୁଗ, ବୁଟ ଓ ଦଲିଆ ଆଦି ଲୋକ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଯୁକ୍ତ ଖାଦ୍ୟ ସୁସ୍ଥ ହୃଦୟ ପାଇଁ ଖୁବ୍‌ ଉପଯୋଗୀ। ଦ୍ରୁତ ପ୍ରାତଃଭ୍ରମଣ ଖୁବ ଉପଯୋଗୀ। ୱାକିଂ ସ୍ପିଡ୍‌ ଠିକ୍‌ ଅଛି ନା ନାହିଁ ତାହା ନିଜେ ଜାଣିପାରିବେ। ଉଦାହରଣ ସ୍ବରୂପ ଚାଲିବା ବେଳେ ଯଦି କୌଣସି ବାକ୍ୟକୁ ଆରାମରେ କହିପାରୁଛନ୍ତି, ତା’ହେଲେ ଜାଣନ୍ତୁ ଗତି ଧିମା ଅଛି। ଅଧା ବାକ୍ୟ ଠିକ୍‌ରେ କହିପାରୁ ନ ଥିଲେ ଜାଣନ୍ତୁ ଅଧିକ ଅଛି। ଯଦି ବାକ୍ୟଟି କଷ୍ଟରେ କହିପାରୁଛନ୍ତି ତା’ହେଲେ ବୁଝି ନିଅନ୍ତୁ ଗତି ଠିକ୍‌ ଅଛି। ବୟସ ୫୧ ଛୁଇଁଲେ ଖାଦ୍ୟରେ ସାଲାଡ଼, ସବୁଜ ପନିପରିବା ଓ ଫଳକୁ ପ୍ରାଧାନ୍ୟ ଦିଅନ୍ତୁ। ଅଳ୍ପ ଅଳ୍ପ କରି ଦିନରେ ୬ଥର ଖାଇବା ଦରକାର। ୫୧ ବର୍ଷରୁ ଅଧିକ ବୟସର ଲୋକମାନେ କଠୋର ବ୍ୟାୟାମ ଓ ଅଧିକ ଶାରୀରିକ ପରିଶ୍ରମ କରିବା ଉଚିତ ନୁହେଁ। ଦିନରେ ୪୫ ମିନିଟ୍‌ ପର୍ଯ୍ୟନ୍ତ ଚାଲନ୍ତୁ। ବ୍ୟବସ୍ଥିତ ଜୀବନ ଶୈଳୀ ନିଶ୍ଚିତ ଭାବରେ ଆପଣମାନଙ୍କୁ ହୃଦ୍‌ରୋଗରୁ ରକ୍ଷା କରିବ ଏ ବିଶ୍ୱାସ ରଖନ୍ତୁ।
– ଡା. ଚନ୍ଦ୍ରକାନ୍ତ ମିଶ୍ର
ହୃଦ୍‌ରୋଗ ବିଶେଷଜ୍ଞ, କଟକ ମୋ:୯୪୩୭୨୭୭୮୬୪