Categories: ଜାତୀୟ

ସଶକ୍ତ ଗଣତନ୍ତ୍ର ପାଇଁ କଂଗ୍ରେସ ସୁଦୃଢ଼ ହେବା ଆବଶ୍ୟକ, ନୀତିନଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ, ୨୮।୩ : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ନୀତିନ ଗଡକରୀ କହିଛନ୍ତି ଯେ ଏକ ଉତ୍ତମ ତଥା ସଶକ୍ତ ଗଣତନ୍ତ୍ର ପାଇଁ କଂଗ୍ରେସକୁ ସୁଦୃଢ଼ ହେବା ଆବଶ୍ୟକ। ଏହା ସହିତ ସେ କଂଗ୍ରେସ ଛାଡିଥିବା ଲୋକଙ୍କୁ ଦଳର ଆଦର୍ଶ ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି। ସେ ରାଜନୀତିରେ ଆଞ୍ଚଳିକ ଦଳଗୁଡ଼ିକର ଅଂଶଗ୍ରହଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।

ପୁଣେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୀତିନ କହିଛନ୍ତି ଯେ କଂଗ୍ରେସର ଦୁର୍ବଳତା ଯୋଗୁ ଆଞ୍ଚଳିକ ଦଳ ଏହା ସ୍ଥାନରେ ଶାସନରେ ରହିଛନ୍ତି। ଯାହା ଭାରତୀୟ ଗଣତନ୍ତ୍ର ପାଇଁ ଭଲ ନୁହେଁ। ଜାତୀୟସ୍ତରରେ କଂଗ୍ରେସ ଅଧିକ ଶକ୍ତିଶାଳୀ ହେବାକୁ ସେ ଚାହୁଁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ କଂଗ୍ରେସ ସରକାର କେବଳ ଛତିଶଗଡ ଏବଂ ରାଜସ୍ଥାନରେ ଅଛନ୍ତି।

ସେ କହିଛନ୍ତି, ଗଣତନ୍ତ୍ର ଦୁଇଟି ଚକ ଉପରେ ଚାଲିଥାଏ ଶାସକ ଦଳ ଏବଂ ବିରୋଧୀ। ଗଣତନ୍ତ୍ରରେ ଏକ ଶକ୍ତିଶାଳୀ ବିରୋଧୀ ଦଳର ଆବଶ୍ୟକତା ରହିଛି। ସେଥିପାଇଁ ମୁଁ ଚାହୁଁଛି କଂଗ୍ରେସ ସୁଦୃଢ଼ ହେଉ। ସେ କହିଛନ୍ତି ଯେ ଯେଉଁମାନେ କଂଗ୍ରେସର ଆଦର୍ଶକୁ ଅନୁସରଣ କରନ୍ତି, ସେମାନେ ଦଳରେ ରହି ନୀତି ଉପରେ ବିଶ୍ୱାସ ରଖିବା ଉଚିତ।

ମୁଁ ୧୯୭୮-୮୦ ରେ ଭାଜପାରେ ଯୋଗ ଦେଇ ପାର୍ଟି ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ପୁଣେକୁ ଆସିଥିଲି। ଯେତେବେଳେ ମୁଁ କାନ୍ଧରେ ପ୍ରମୋସନାଲ ସାମଗ୍ରୀ ନେଇ ରେଳ ଷ୍ଟେସନରେ ଓହ୍ଲାଇଲି। ମୁଁ ଶ୍ରୀକାନ୍ତ ଜିଚକ୍କରଙ୍କ ସହିତ ଅଜାଣତରେ ବାଜି ଯାଇଥିଲି। ସେ ମୋତେ ଏକ ଭଲ ପାର୍ଟିକୁ ଯିବା ଉଚିତ ବୋଲି ପରାମର୍ଶ ଦେଇଥିଲେ, ଯାହା ମୋତେ ଭବିଷ୍ୟତ ଦେଇପାରିବା କଥା ମଧ୍ୟ କହିଥିଲେ। ମୁଁ ତାଙ୍କୁ କହିଥିଲି ଯେ ମୁଁ କୂଅକୁ ଡେଇଁ ମରିବି, କିନ୍ତୁ ମୋର ଆଦର୍ଶ ଛାଡିବି ନାହିଁ।

ସେହି ସମୟରେ ଲୋକସଭାରେ ଭାଜପର ମାତ୍ର ଦୁଇଜଣ ଏମ୍‌ପି ଥିଲେ। କିନ୍ତୁ ଦଳୀୟ କର୍ମୀଙ୍କ ଉଦ୍ୟମରେ ସମୟ ବଦଳିଗଲା ଏବଂ ଆମେ ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ପାଇଲୁ। ତେଣୁ ନିରାଶ ସମୟରେ ଜଣେ ନିଜର ଆଦର୍ଶ ଛାଡିବା ଉଚିତ ନୁହେଁ ବୋଲି ନୀତିନ କହିଛନ୍ତି।

Share