ଏସବୁ ୫ କାରଣ ଯୋଗୁ କରୋନା ପୁଣି ହେଉଛି ବେକାବୁ

ନୂଆଦିଲ୍ଲୀ,୭।୩: ଦେଶରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଆଦି କେତେକ ରାଜ୍ୟର କିଛି ଅଞ୍ଚଳରେ ସରକାରଙ୍କ ପକ୍ଷରୁ କଡ଼ା କଟକଣା ଜାରି ହୋଇଛି। ଧୀରେଧୀରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ଗ୍ରାଫ୍‌ ବଢ଼ିବାରେ ଲାଗିଛି। ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୮ ହଜାରରୁ ଅଧିକ ରହୁଛି। ସେହିପରି ମୃତକଙ୍କ ସଂଖ୍ୟା ପ୍ରତି ୨୪ ଘଣ୍ଟାରେ ୧୦୦ରୁ ଅଧିକରେ ପହଞ୍ଚିଛି। କରୋନା ବେକାବୁ ହେବାର ୫ଟି କାରଣ ରହିଛି। ସେଥିମଧ୍ୟରେ ପ୍ରଥମ କାରଣ ହେଉଛି ନମୁନା ପରୀକ୍ଷା ସଂଖ୍ୟା କମିଯିବା ଦ୍ୱାରା ଆକ୍ରାନ୍ତଙ୍କ ସମ୍ପର୍କରେ ଠିକ ଖବର ମିଳିପାରୁ ନାହିଁ। ଦ୍ୱିତୀୟ କାରଣ ହେଉଛି ନୂଆ ଷ୍ଟ୍ରେନ୍‌। ଏହାକୁ ନିଭଳି ନିୟନ୍ତ୍ରଣ କରାଯିବା ତାହା ଏବେ ଅଜଣା। ଏହା ଦ୍ରୁତ ବେଗରେ ସଂକ୍ରମଣ କରୁଛି। ସେହିପରି ତୃତୀୟ କାରଣ ହେଉଛି ଟିକାକରଣରେ ବିଳମ୍ବ। ଭାରତରେ ପ୍ରତି ୧୦୦ ଜଣରେ ଜଣଙ୍କୁ ଟିକାଦାନ କରାଯାଉଛି। ଏହା ଯୋଗୁ କରୋନା ବେକାବୁ ହେବାରେ ଲାଗିଛି। ସେହିପରି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କରୋନା ମାର୍ଗଦର୍ଶିକାକୁ ଲୋକେ ପୂର୍ବଭଳି ପାଳନ କରୁ ନାହାନ୍ତି। ଏହା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ମୁଖ୍ୟ କାରଣ। ଅପରପକ୍ଷରେ ଦେଶରେ ନମୁନା ପରୀକ୍ଷାରେ କରୋନା ପଜିଟିଭ୍‌ ସଂଖ୍ୟା ୫ ପ୍ରତିଶତରୁ ଅଧିକ ରହୁଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ଏହା ଦୁଇ ସପ୍ତାହ ପର୍ଯ୍ୟନ୍ତ ୫ ପ୍ରତିଶତରୁ କମ୍‌ ରହିଲେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ସହଜ ହୋଇପାରିବ। ତେବେ ଭାରତ ଏଭଳି ସ୍ଥିତି ସୃଷ୍ଟି ହେବାକୁ ଅଧିକ ସମୟ ଲାଗିବ ବୋଲି ଆକଳନ କରାଯାଇଛି।

Share