ସ୍ତନ୍ୟଦାତ୍ରୀ ମା’ ଲାଗି …

ମା’ ସ୍ତନରୁ ଝରୁଥିବା କଷକ୍ଷୀରକୁ ଅପରିଷ୍କାର ଭାବି ନ ଫିଙ୍ଗି ଶିଶୁକୁ ଖୁଆନ୍ତୁ। ଏଥିରେ ଶିଶୁ ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ଏବଂ ରୋଗ ପ୍ରତିରୋଧକ ଶକ୍ତି ଭରପୂର ଥାଏ।
-ନୂଆ ନୂଆ ସ୍ତନ୍ୟପାନ କରାଉଥିବା ଅଧିକାଂଶ ମା’ ଶିଶୁଙ୍କୁ କିଛି କିଛି ସମୟ ଅନ୍ତରାଳରେ କ୍ଷୀର ପିଆଇଥାନ୍ତି, ଯାହାଦ୍ୱାରା ଶିଶୁଠାରେ ଅରୁଚି, ବାନ୍ତି ଆଦି ଦେଖାଦେଇଥାଏ। ତେଣୁ ଶିଶୁକୁ ଭୋକ କଲେ ଅର୍ଥାତ୍‌ ସେ କାନ୍ଦିଲେ ଅବା ଦେଢରୁ ଦୁଇ ଘଣ୍ଟା ବ୍ୟବଧାନରେ କ୍ଷୀର ପିଆନ୍ତୁ। । ଏହାଦ୍ୱାରା ଶିଶୁର ଖାଦ୍ୟ ହଜମ କରିବା ସହଜ ହୋଇଥାଏ।
-ଶୋଇବା ଅବସ୍ଥାରେ ଶିଶୁକୁ ସ୍ତନ୍ୟପାନ କରାଇବା ଅନୁଚିତ। କାରଣ ଏହାଦ୍ୱାରା ଶିଶୁର ନାକରେ ଚାପ ପଡ଼ି ଶ୍ୱାସରୁଦ୍ଧ ହେବା ଆଶଙ୍କା ଥାଏ। ତେଣୁ ସର୍ବଦା ବସିରହି ସ୍ତନ୍ୟପାନ କରାଇବା ନିରାପଦ।
-କ୍ଷୀର ପିଇବା ପରେ ଶିଶୁକୁ ନିଜ କାନ୍ଧରେ ପକାଇ( ଯେପରି ଶିଶୁର ପେଟ ଚାପିହେବ) ତା’ ପିଠିକୁ କିଛି ସମୟ ଥାପୁଡ଼ାନ୍ତୁ। ଏହାଦ୍ୱାରା ଶିଶୁ ପେଟରୁ ହାକୁଟି ଆକାରରେ ଗ୍ୟାସ୍‌ ବାହାରି ଆସିବ ଏବଂ ସେ ବାନ୍ତି କରିବ ନାହିଁ। ଏହାପରେ ଶିଶୁକୁ ଚିତ୍‌ କରି ନ ଶୁଆଇ କଡ଼ମାଡ଼ି ଶୁଆଇବାକୁ ଚେଷ୍ଟା କରନ୍ତୁ। କାରଣ ଚିତ୍‌ ହୋଇ ଶୋଇବା ଦ୍ୱାରା ଶିଶୁ ବାନ୍ତିକରିବା ସମୟରେ ଏହା ନାକ ଦେଇ ଭିତରକୁ ଯାଇ ନିଃଶ୍ୱାସ ବନ୍ଦ ହୋଇଯିବା ଆଶଙ୍କା ଥାଏ।
-ଶିଶୁକୁ ସର୍ବଦା ଦୁଇସ୍ତନରୁ ସମାନ ପରିମାଣରେ କ୍ଷୀର ପିଆଇବାକୁ ଚେଷ୍ଟା କରନ୍ତୁ। ନଚେତ୍‌ ଗୋଟିଏ ସ୍ତନରେ ଅଧିକ କ୍ଷୀର ଜମାହୋଇ ପରବର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ। ତା’ଛଡ଼ା ଶିଶୁ ଯଦି ଠିକ୍‌ ଭାବେ କ୍ଷୀର ନ ପିଉଛି କିମ୍ବା ମା’ର ଅଧିକ କ୍ଷୀର ହେଉଛି ତେବେ ତାହା ଯେପରି ରହି ନ ଯାଏ ସେଥିପ୍ରତି ଧ୍ୟାନଦେବା ଆବଶ୍ୟକ। କାରଣ ଏହା ରହିଯିବା ଫଳରେ ସ୍ତନରେ ଗୋଟାଳି ହୋଇ ବିନ୍ଧିବା, ପୂଯ ହେବା ଏବଂ କେବେ କେବେ ଏହା ଅଧିକ କ୍ଷତିକାରକ ମଧ୍ୟ ହୋଇଥାଏ।
-ମା’ ଅତି ଦୁର୍ବଳ, ପୁଷ୍ଟିହୀନତାର ଶିକାର କିମ୍ବା ରୁଗ୍‌ଣ ହୋଇଥିଲେ ସ୍ତନ୍ୟପାନ କରାଇବା ଅନୁଚିତ।
ସେହିପରି ମାନସିକ ରୋଗଗ୍ରସ୍ତ, କୁଷ୍ଠ, ଏଚ୍‌ଆଇଭି, ଯକ୍ଷ୍ମା, ହାଡ଼ଫୁଟି, ମିଳିମିଳା, ଜଣ୍ଡିସ୍‌ ଆଦି ରୋଗ ଥିଲେ କିମ୍ବା ମା’ ସ୍ତନରେ ଘା’ ହୋଇଥିଲେ ସ୍ତନ୍ୟପାନ କରାଇବା ଶିଶୁ ପ୍ରତି ବିପଜ୍ଜନକ।